ପାଟନା: ବିହାର ପ୍ରଦେଶ କଂଗ୍ରେସ କମିଟିରେ ଚାଲିଥିବା ବୈଠକବେଳେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ । ଦଳୀୟ ଅନ୍ତଃକନ୍ଦଳର ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି ଉକ୍ତ ବୈଠକରେ । ବିହାର ପ୍ରଦେଶ କଂଗ୍ରେସ କମିଟି ନବନିଯୁକ୍ତ ପ୍ରଭାରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଏପରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ହାତାହାତି ହୋଇଛନ୍ତି ଦୁଇ ଗୋଷ୍ଠୀର କର୍ମୀ । ଦଳୀୟ ଟିକେଟ ବଣ୍ଟନ ଓ ପ୍ରଭାରୀ ନିଯୁକ୍ତିକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
ଗତ କିଛି ଦିନ ତଳେ ବିହାର କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ବ ନେଇଥିଲେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ଦଳୀୟ ବୈଠକ ଥିଲା । ଏହି ବୈଠକ ଆରମ୍ଭ ହେବା ପରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା ।
ଭକ୍ତଙ୍କ ପୂର୍ବରୁ ବିହାର କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ଥିବା ଶକ୍ତି ସିଂ ଗୋହିଲଙ୍କ ସମର୍ଥକମାନେ ବୈଠକରେ ଉତ୍ତେଜନା ସୃଷ୍ଟି କରିଥିଲେ । ସେମାନେ ମଞ୍ଚ ଉପରକୁ ଚଢିଯିବା ସହ ବୈଠକ ସ୍ଥଳରେ ଅନ୍ୟ ଗୋଷ୍ଠୀର କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଶକ୍ତି ସିଂ ଗୋହିଲ ବିହାରର କଂଗ୍ରେସ ପ୍ରଭାରୀ ଥିବାବେଳେ ହଠାତ ତାଙ୍କ ଦାୟିତ୍ବରୁ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଭକ୍ତ ଚରଣ ଦାସଙ୍କୁ ଦଳର ନୂତନ ପ୍ରଭାରୀ ଭାବେ ଦାୟିତ୍ବ ଦେଇଥିଲା ଦଳ । ତେବେ ଭକ୍ତଙ୍କ ନିଯୁକ୍ତି ପରେ ଦଳରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ