ଭୋପାଳ: ଉତ୍ତମ ଫସଲ ପାଇଁ ଚାଷୀମାନେ ସାଧାରଣତଃ ଜମିରେ ରାସାୟନିକ ସାର କିମ୍ବା ଜୈବିକ ସାର ବ୍ୟବହାର କରନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ଦେଶୀ ମଦକୁ ଚାଷକାର୍ଯ୍ୟରେ ବ୍ୟବହାର କରିବା ? ତେବେ ମଧ୍ୟପ୍ରଦେଶର ନର୍ମଦାପୁରମ ଅଞ୍ଚଳରେ ଏହି ଭିନ୍ନ ପ୍ରକାରର ଚାଷ ପ୍ରଣାଳୀ ଦେଖିବାକୁ ମିଳିଛି । ଯେଉଁଠି ଜଣେ ଚାଷୀ ମୁଗ ଡ଼ାଲି ଚାଷ କରୁଥିବା ବେଳେ ସାର ବଦଳରେ ବ୍ୟବହାର କରୁଛନ୍ତି ଦେଶୀ ମଦ । ଏହି ମଦକୁ କିଛି ଔଷଧ ସହିତ ମିଶାଇ ସିଞ୍ଚନ କରାଯାଉଛି । ଭଲ ଫସଲ ଲାଗି ଜିଲ୍ଲାର ଅଧିକ ଚାଷୀ ଏହି ପଦ୍ଧତି ଆପଣାଇଥିବା ଦେଖିବାକୁ ମିଳିଛି ।
ଜିଲ୍ଲାର ଚାଷୀମାନେ ପ୍ରାୟ ୨ ଲକ୍ଷ ୯୩ ହଜାର ହେକ୍ଟର ଜମିରେ ମୁଗ ଡାଲି ଚାଷ କରୁଛନ୍ତି । ପାଗରେ ପରିବର୍ତ୍ତନ ହେଉଥିବା ବେଳେ ଉତ୍ତମ ଫସଲ ଲାଗି ନୂଆ ନୂଆ ପଦ୍ଧତି ଆପଣାଉଛନ୍ତି ଏଠାକାର ଚାଷୀ । ଏହି ନୂଆ ପଦ୍ଧତି ମଧ୍ୟରେ ଗୋଟିଏ ହେଉଛି ଦେଶୀ ମଦର ବ୍ୟବହାର । ନର୍ମଦାପୁରମ ଜିଲ୍ଲାର ରଣ୍ଢାଲ ଗାଁରେ ଚାଷୀ ପଙ୍କଜ ପାଲ ମଧ୍ୟ ନିଜ ୭ ଏକର ଜମିରେ ଏହି ନୂଆ ପଦ୍ଧତି ଆପଣାଇଛନ୍ତି । ସେ କୀଟନାଶକ ଔଷଧ ସହିତ କିଛି ମାତ୍ରାରେ ଦେଶୀ ମଦର ବ୍ୟବହାର କରୁଛନ୍ତି । ଏହି ମଦର ମିଶ୍ରଣ ଦ୍ବାରା ତାଙ୍କ ଫସଲ ଭଲ ହେବ ବୋଲି କହିଛନ୍ତି ପଙ୍କଜ ।
ଏହା ବି ପଢନ୍ତୁ- VIRAL VIDEO: ସରକାରୀ କାର୍ଯ୍ୟାଳୟରେ ସ୍ବାମୀଙ୍କୁ ଚପଲରେ ପିଟିଲେ ପତ୍ନୀ
ପଙ୍କଜ ୬ରୁ ୭ ଏକର ଜମିରେ ମୁଗ ଡାଲି ଚାଷ କରୁଛନ୍ତି । ମୁଗ ଡାଲି ଚାଷ ବେଳେ ଯେତେବେଳେ ଗଛରେ ଫୁଲ ଆସିଥାଏ, ସେତେବେଳେ ସେ କୀଟନାଶକ ଔଷଧ ସହିତ ଦେଶୀ ମଦକୁ ମିଶାଇ ଜମିରେ ସିଞ୍ଚନ କରନ୍ତି । ଏପରି କରିବା ଦ୍ବାରା ଫସଲ ଭଲ ହୋଇଥାଏ । ଏହାସହ ଏହି ମିଶ୍ରଣ ସିଞ୍ଚନ ପରେ ଫୁଲ ମଧ୍ୟ ଛଡ଼ିନଥାଏ । ଯାହାଦ୍ବାରା ଫସଲ ଭଲ ହୁଏ । ଏହା ପ୍ରଥମ ନୁହେଁ ଅନେକ ବର୍ଷ ଧରି ସେ ଏହି ପଦ୍ଧତି ଆପଣାଇଥିବା କହିଛନ୍ତି ପଙ୍କଜ । ହେଲେ ସମସ୍ୟାର ବିଷୟ ହେଉଛି ଦେଶୀ ମଦ ସିଞ୍ଚନ ଯୋଗୁଁ ଏହି ଅଞ୍ଚଳରେ ଦୁର୍ଗନ୍ଧ ହୋଇଥାଏ । ସୋମଲୱାଡା, ଚାନ୍ଦୌନ, ଘାଟଲି ଗାଁରେ ଦୁର୍ଗନ୍ଧ ହୋଇଥାଏ ।
ଅନ୍ୟପଟେ ଏହି ଫସଲ ସମୟରେ ମଦ ଦୋକାନରେ ମଧ୍ୟ ଭିଡ଼ ଜମେ । ଦେଶୀ ମଦର ଚାହିଦା ବଢିବା ସହିତ ଏହି ସମୟରେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଏ । ଏହି ସମୟରେ ମଦ ଦୋକାନୀ ଗୋଟିଏ ଦିନରେ ପ୍ରାୟ ୫୦୦ କ୍ବାର୍ଟର ମଦ ବିକ୍ରି କରିଥାନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚାଷୀ ବିଶେଷଜ୍ଞ ଜେଆର ହେଡାଉ । ତାଙ୍କ କହିବା ଅନୁସାରେ ମଦ ସିଞ୍ଚନରେ ଫସଲ ଉତ୍ପାଦନରେ ସେପରି କୌଣସି ପ୍ରଭାବ ପଡିନଥାଏ । ଚାଷୀମାନେ କେବଳ ପରସ୍ପରଠାରୁ ଶୁଣି ଏପରି କରୁଥିବା ସେ କହିଛନ୍ତି ।