ନୂଆଦିଲ୍ଲୀ: ଆଜି (ଗୁରୁବାର) ମଧ୍ୟାହ୍ନ 12 ଟାରେ ସିଂଘୁ ବର୍ଡରରେ ପୁନର୍ବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହେବ । ଗତକାଲି ଭାରତ ସରକାର ପ୍ରଦାନ କରିଥିବା ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତାବକୁ ମୋର୍ଚ୍ଚା ଗ୍ରହଣ କରିଥିଲା । ତେବେ ଆଜିର ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ମୋର୍ଚ୍ଚା । ସରକାରଙ୍କ ଡ୍ରାଫ୍ଟରେ ସହମତି ପ୍ରକାଶ ପରେ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।
ଭାରତୀୟ କୃଷକ ସଂଘ (ବି.କେ.ୟୁ) ଅନ୍ୟ କୃଷକ ସଂଗଠନ ସହିତ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବିଚାରାଧୀନ ସମସ୍ୟାକୁ ନେଇ ଆନ୍ଦୋଳନକାରୀ ଚାଷୀଙ୍କୁ ସରକାରଙ୍କ ଡ୍ରାଫ୍ଟ ପ୍ରଦାନ ପରେ ଏହି ବୈଠକ ଡକାଯାଇଥିଲା । ବୈଠକ ପରେ ଆନ୍ଦୋଳନର ନେତୃତ୍ବ ନେଉଥିବା ଚାଷୀନେତା କହିଛନ୍ତି ଯେ ତିନୋଟି ଚାଷ ଆଇନ ବିରୋଧରେ କୃଷକ ଆନ୍ଦୋଳନକୁ ନେଇ ଆମର ଦାବି ଉପରେ କେନ୍ଦ୍ର ଦେଇଥିବା ସଂଶୋଧିତ ଡ୍ରାଫ୍ଟକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି ।
କେନ୍ଦ୍ରରୁ ଆନୁଷ୍ଠାନିକ ଭାବେ ଚିଠି ପାଇବା ପରେ ସେମାନେ ଆଉ ଏକ ବୈଠକ ପରେ କିଛି ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବେ ବୋଲି ଏସକେଏମ୍ ପକ୍ଷରୁ ଜାରି ବିବୃତ୍ତିରେ ଦର୍ଶାଯାଇଛି । ବୁଧବାର ବସିଥିବା ବୈଠକରେ ସଂଯୁକ୍ତ ମୋର୍ଚ୍ଚାର ବରିଷ୍ଠ ନେତା ବଲବୀର ସିଂ ରାଜୱାଲ, ଡ. ଦର୍ଶନ ପାଲ, ଗୁରୁନମ ସିଂ ଚାରୁନି, ଯୋଗେନ୍ଦ୍ର ଯାଦବ ପ୍ରମୁଖ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ