ମୁମ୍ବାଇ: ମହାରାଷ୍ଟ୍ରରେ ମହାକ୍ଷତି ସହିଲେ ଜନୈକ ଚାଷୀ । ୫ କ୍ବିଣ୍ଟାଲରୁ ଅଧିକ ପିଆଜ ବିକ୍ରି କରି ଚାଷୀ ଜଣକ ମାତ୍ର ୨ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି । ଏହି ପିଆଜକୁ କ୍ରୟ କରିଥିବା ବ୍ୟକ୍ତି ଜଣକ ଚାଷୀଙ୍କୁ ୨ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମହାରାଷ୍ଟ୍ର ସୋଲାପୁର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଚାଷୀ ଜଣକ ୨ଟଙ୍କାର ଚେକ ଧରିଥିବା ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଚାଷୀ ଜଣଙ୍କ ଆତ୍ମାହୁତି ଧମକ ମଧ୍ୟ ଦେଇଛନ୍ତି ।
ସୋଲାପୁର ଜିଲ୍ଲା ବର୍ଶି ନିକଟ ଜଦି ବୋରଗାଓଁ ଗ୍ରାମର ଚାଷୀ ରାଜେନ୍ଦ୍ର ତୁକାରାମ ଚାଭନ (୫୮)ଙ୍କ ସହିତ ଘଟିଛି ଏପରି ଘଟଣା । ସେ ଗତ ୧୭ ତାରିଖରେ ସୋଲାପୁର ପରିବା ମାର୍କେଟରେ ୫୧୨ କେଜି ପିଆଜ ବିକ୍ରି କରିଥିଲେ । ସୋଲାପୁର ପରିବା ବଜାରରେ ପିଆଜ ଦର ହ୍ରାସ ପାଇଥିବାରୁ ଚାଷୀ ଜଣକ ୧ କେଜି ପିଆଜକୁ ୧ଟଙ୍କାରେ ବିକ୍ରି କରୁଥିଲେ । ତେବେ ପିଆଜ ପରିବହନ ପାଇଁ ଅର୍ଥ ଭଳି ଅନେକ ଅର୍ଥ କାଟିବା ପରେ ତୁକାରାମଙ୍କୁ ହାତକୁ ଆସିଛି ମାତ୍ର ୨ଟଙ୍କା । ଏହାପରେ ମାର୍କେଟ କମିଟି ପକ୍ଷରୁ ତାଙ୍କୁ ୨ଟଙ୍କା ଚେକ୍ ପ୍ରଦାନ କରାଯାଇଛି ।
ଏହା ବି ପଢନ୍ତୁ- ବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର
ଏ ନେଇ ସୋଲାପୁର କୃଷି ଉତ୍ପାଦ ମାର୍କେଟ କମିଟି ଅଧୀନରେ ଥିବା ସୂର୍ଯ୍ୟା ଟ୍ରେଡର୍ସର ମାଲିକ ନସିର ଖଲିଫା କହିଛନ୍ତି, " ପିଆଜ ଉତ୍ପାଦନ ବୃଦ୍ଧି ପାଇବା ପରେ ପିଆଜ ଦର ଅଧିକ ହ୍ରାସ ପାଇଛି । ତଥାପି ଉତ୍ତମ ଧରଣର ପିଆଜକୁ ଅଧିକ ଦରରେ ବିକ୍ରି କରାଯାଉଛି । " ଚାଷୀ ଜଣକ ହାତରେ ୨ ଟଙ୍କାର ଚେକ୍ ଧରିଥିବା ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାପରେ ୟୁଜର୍ସମାନେ ନିଜର କ୍ରୋଧଭାବ ପ୍ରକାଶ କରିଛନ୍ତି । ଚାଷୀଙ୍କ ଏପରି ଅବସ୍ଥା ନେଇ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରାଯାଇଛି ।
ଏହି ଘଟଣା ନେଇ ସ୍ବାଭିମାନି ଶେତକର ସଂଗଠନ ନେତା ତଥା ପୂର୍ବତନ ସାଂସଦ ରାଜୁ ସେଟ୍ଟୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଦାବି କରିଛନ୍ତି ଯେ ଏହି ଚାଷୀଙ୍କୁ ତାଙ୍କର ନିର୍ଦ୍ଦିଷ୍ଟ ପ୍ରାପ୍ୟ ପ୍ରଦାନ କରାଯାଉ । ଯଦି ଏପରି ନ ହୁଏ ତେବେ ଆଗାମୀ ଦିନରେ ସେ ମୁମ୍ବାଇ ସ୍ଥିତ କୃଷି ମନ୍ତ୍ରଣାଳୟ ସମ୍ମୁଖରେ ଆତ୍ମାହୁତି ଦେବେ । ସୋଲାପୁର ଅଞ୍ଚଳରେ ବିଦ୍ୟୁତ ଯୋଗାଯୋଗ ସ୍ବଚ୍ଛଳ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପିଆଜକୁ ବିକ୍ରି କରିଥିବା ଜଣାପଡ଼ିଛି । ଫଳରେ ସେମାନେ ଏପରି କ୍ଷତି ସହୁଛନ୍ତି ।