ଜୟପୁର: ସେନା ବେଶରେ ନକଲି କ୍ୟାପ୍ଟେନ ଗିରଫ । ଯୁବକଙ୍କ ଠାରୁ ମିଳିଲା ନକଲି ବନ୍ଧୁକ । ଯୁବତୀମାନଙ୍କୁ ସେନରେ ଭର୍ତ୍ତି କରିଦେବା ପାଇଁ ସୋସିଆଲ ମିଡିଆରେ ଦେଉଥିଲେ ମିଛ ପ୍ରତିଶୃତି ।
ଆର୍ମି ଇଣ୍ଟେଲିଜେନ୍ସ୍, ସେନା କ୍ୟାପ୍ଟେନଙ୍କ ୟୁନିଫର୍ମ ପିନ୍ଧିଥିବା ଜଣେ ଯୁବକଙ୍କୁ ରାଇକାବାଗ ଷ୍ଟେସନରୁ ଧରିଛି । ତେବେ ଯୁବକ ଜଣଙ୍କୁ ପଚରାଉଚରା କରାଯିବା ପରେ ଗୁରୁବାର ରାତିରେ ତାଙ୍କୁ ଉଦୟ ମନ୍ଦିର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଉଦୟ ମନ୍ଦିର ପୋଲିସ ଯୁବକଙ୍କ ବିରୋଧରେ ଠକାମି ସହ ଅନ୍ୟ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ସୋସିଆଲ ମିଡିଆରେ ନିଜକୁ ଜାଟ୍ ବାଟାଲିୟନର କ୍ୟାପ୍ଟେନ ଭାବରେ ପରିଚୟ ଦେଇ ଯୁବତୀମାନଙ୍କୁ ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଉଥିଲେ ଯୁବକ । ଏହା ସହ ଯୁବକଙ୍କ ଠାରୁ ଏକ ନକଲି ବନ୍ଧୁକ ସହ ଅନ୍ୟ ଅସ୍ତ୍ରଶସ୍ତ୍ରର ଫଟୋ ମଧ୍ୟ ମିଳିଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ, ସେନା ୟୁନିଫର୍ମ ପିନ୍ଧି ସାଲାସର ଏକ୍ସପ୍ରେସରେ ସନ୍ଦିଗ୍ଧ ଯୁବକ ଜଣଙ୍କ ଯାତ୍ରା କରୁଥିବା ବିଷୟରେ ଆର୍ମି ଇଣ୍ଟେଲିଜେନ୍ସ ସୂଚନା ପାଇଥିଲେ । ତେବେ ସନ୍ଧ୍ୟା ୬ଟା ସମୟରେ ଟ୍ରେନ ରାଇକାବାଗ ଷ୍ଟେସନ ଠାରେ ପହଞ୍ଚିବା ପରେ ଯୁବକ ଜଣଙ୍କ ଟ୍ରେନରୁ ଓହ୍ଲାଇବା ବେଳେ ଇଣ୍ଟେଲିଜେନ୍ସ୍ ଯବାନମାନେ ତାଙ୍କୁ ଧରିଥିଲେ । ଏହାପରେ ଯୁବକଙ୍କୁ ପଚରାଉଚରା ବେଳେ ସେ ନିଜ ନାମ ଖେତ୍ରି ନିବାସୀ ରବି କୁମାର ବୋଲି କହିଥିଲେ । ନିଜକୁ ସେନାର ଜାଟ୍ ବାଟାଲିୟନ କ୍ୟାପ୍ଟେନ୍ କହିବା ସହ ପରିଚୟପତ୍ର ମଧ୍ୟ ଦେଖାଇଥିଲେ । ଯାଞ୍ଚ ବେଳେ ସେସବୁ ନକଲି ବୋଲି ଜଣାପଡିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...କାରଗିଲ ବିଜୟ ଦିବସ ପାଇଁ ସେନାର ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଲେ ଯବାନ
ଯୁବକଙ୍କୁ ପଚରାଉଚରା ଓ ଯାଞ୍ଚ କରିବା ସମୟରେ ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, ତିନୋଟି ସିମ୍ କାର୍ଡ ସହ ପାଞ୍ଚଟି ଅତିରିକ୍ତ ନମ୍ବର ମଧ୍ୟ ମିଳିଥିଲା । ଏହା ବ୍ୟତୀତ ସାତଟି ବ୍ୟାଙ୍କ ଖାତା ଏବଂ ୫ଟି ଏଟିଏମ ମଧ୍ୟ ଜବତ କରାଯାଇ ଏହାର ଯାଞ୍ଚ କରାଯାଇଛି । ତାଙ୍କ ଫୋନରୁ ୭ଟି ଇ-ମେଲ ଆଇଡି ଏବଂ ଦୁଇଟି ଇନଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ ସୂଚନା ମିଳିଛି । ଯେଉଁଥିରେ ସେ ଯୁବତୀମାନଙ୍କୁ ସେନାରେ ଅଧିକାରୀ କରିଦେବା ପାଇଁ କଥାବାର୍ତ୍ତା ହୋଇଥିବାର ମଧ୍ୟ ସୂଚନା ରହିଛି । ସେ କାହା ଠାରୁ ଟଙ୍କା ନେଇଛନ୍ତି କି ନାହିଁ ଏନେଇ ପଚରାଉଚରା କରିବା ବାକି ଅଛି । ତେବେ ଯୁବକଙ୍କୁ କୋର୍ଟରେ ହାଜର କରାଯିବା ପରେ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡରେ ନିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ