ପ୍ରାୟ ଚାରି ମାସ ତଳେ, ଉଡ୍ ମାକେଞ୍ଜି ନାମକ ଏକ ସୁପରିଚିତ ଶକ୍ତି ଗବେଷଣା ଏବଂ ପରାମର୍ଶ ପ୍ରଦାନକାରୀ ସଂସ୍ଥା ଉଲ୍ଲେଖ କରିଥିଲା ଯେ, 2030 ମସିହା ସୁଦ୍ଧା ରନ୍ଧନ ଗ୍ୟାସ୍ (ଏଲ୍ପିଜି) ବ୍ୟବହାର କ୍ଷେତ୍ରରେ ଭାରତ ଚୀନ୍କୁ ପଛରେ ପକାଇ ଦେବ । ଯଦିବା ଆଜିକାର ସମସ୍ତ ସରକାର ସର୍ବସାଧାରଣରେ ଏହା ପ୍ରକାଶ୍ୟ ଭାବରେ ସ୍ବୀକାର କରିବାକୁ ଦ୍ବିଧାବୋଧ କରନ୍ତି, ତଥାପି ଏହା ହିଁ ସତ ଯେ, ଇନ୍ଧନ ଊପରେ ଟିକସ ବସାଇବା କ୍ଷେତ୍ରରେ ଭାରତ ଏକ ପ୍ରକାର ବିଶ୍ବ ରେକର୍ଡ ସ୍ଥାପନ କରିସାରିଛି । ଏହି ସବୁ ଟିକସ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ସହିତ ତାଳ ଦେଇ ବୃଦ୍ଧି ପାଉଥିବା ରନ୍ଧନ ଗ୍ୟାସ୍ ବା ଏଲ୍ପିଜି ସିଲିଣ୍ଡରର ଦର ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ମାତ୍ର 3 ମାସର ସୀମିତ ଅବଧି ଭିତରେ ସିଲିଣ୍ଡର ପିଛା 225 ଟଙ୍କା ଦରବୃଦ୍ଧି ହୋଇଥିବା କଥା ଦେଶର ଗୃହିଣୀମାନଙ୍କ ଅନ୍ତରର ଜ୍ବାଳାକୁ ବଢ଼ାଇ ଦେଇଛି । ଯଦିଚ ଏପ୍ରିଲ ମାସ ସୁଦ୍ଧା ଇନ୍ଧନର ଦର ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଘୋଷଣା କରିଛନ୍ତି, ତଥାପି ସେତେବେଳକୁ ପ୍ରତିଟି ସିଲିଣ୍ଡରର ଦର 1,000 ଟଙ୍କାରେ ପହଞ୍ଚି ସାରିଥିବ ବୋଲି ଆକଳନ କରାଯାଇଛି ।
ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ପ୍ରତି ସିଲିଣ୍ଡରର ଦର 1,800 ଟଙ୍କା ପାଖାପାଖି ପହଞ୍ଚିସାରିଥିବା ଘଟଣା ବି ଲୋକଙ୍କ ମଧ୍ୟରେ ହୃତ୍କମ୍ପନ ସୃଷ୍ଟି କରୁଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ରନ୍ଧନ ଗ୍ୟାସ ସଂଯୋଗ ରହିଛି । ରନ୍ଧନ ଗ୍ୟାସର ଏହି ଅତ୍ୟଧିକ ଦରବୃଦ୍ଧି ପ୍ରତ୍ୟେକ ପରିବାରର ବଜେଟ୍କୁ ପ୍ରଭାବିତ କରିଛି । ରନ୍ଧନ ଗ୍ୟାସ ଉପରେ ଦିଆଯାଉଥିବା ସବ୍ସିଡି ବାବଦ ଅର୍ଥକୁ ସିଧାସଳଖ ହିତାଧିକାରୀଙ୍କୁ ହସ୍ତାନ୍ତର (DBT) କରିବା ପ୍ରକ୍ରିୟା ଦ୍ରୁତ ବେଗରେ ଲୋପ ପାଇବାରେ ଲାଗିଛି । 2017 ମସିହାରେ ପ୍ରତି ସିଲିଣ୍ଡର ଉପରେ ସବ୍ସିଡି ବାବଦରେ 535 ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଉଥିଲା ଏବଂ ସେତେବେଳେ ସିଲିଣ୍ଡର ପିଛା ଦର ଥିଲା 1000 ଟଙ୍କା । ଗତ ମାସରୁ ଏହି ସବ୍ସିଡି ସିଲିଣ୍ଡର ପିଛା 41 ଟଙ୍କାକୁ ହ୍ରାସ ପାଇଥିଲା । ପ୍ରତି ସପ୍ତାହରେ ରନ୍ଧନ ଗ୍ୟାସ୍ର ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ଇନ୍ଧନ ଯୋଗାଣକାରୀ ସଂସ୍ଥାର କହିବା ଅନୁସାରେ ଗ୍ୟାସ୍ ଫିଲିଂ ଷ୍ଟେସନ୍ଠାରୁ ବହୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ହିଁ ସବ୍ସିଡି ପ୍ରଯୁଜ୍ୟ ହେବ । ଅନ୍ୟମାନଙ୍କ ପାଇଁ ବଜାର ଦରରେ ହିଁ ରନ୍ଧନ ଗ୍ୟାସ୍ ବିକ୍ରି କରାଯିବ । ଦରିଦ୍ର ବର୍ଗର ଲୋକଙ୍କୁ ବଜାରର ଉଠାପକା ଖେଳ ଉପରେ ନିର୍ଭର କରିବାକୁ ବାଧ୍ୟ କରି ସେମାନଙ୍କ ପ୍ରତି ନିଷ୍ଠୁର ଉପହାସ କରାଯାଇଛି ।
ସଂପନ୍ନ ବର୍ଗର ଲୋକେ ରନ୍ଧନ ଗ୍ୟାସ୍ ଉପରେ ପାଉଥିବା ସବ୍ସିଡି ପରିତ୍ୟାଗ କରିବା ପାଇଁ 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ । ଏହି ଆହ୍ବାନରେ ଅନୁପ୍ରାଣିତ ହୋଇ 1 କୋଟି 13 ଲକ୍ଷ ଲୋକ ସବ୍ସିଡି ଦାବିରୁ ଓହରି ଯାଇଥିଲେ । ଏହା ଦ୍ବାରା ପ୍ରାୟ 5,000 କୋଟି ଟଙ୍କା ସଞ୍ଚୟ କରାଯାଇ ପାରିଥିଲା । ଗାଁ ଗହଳିର ସାଧାରଣ ଚୁଲିରେ ଖାଦ୍ୟ ରାନ୍ଧିବା ପ୍ରତି ଘଣ୍ଟାରେ 400 ସିଗାରେଟ୍ ଟାଣିବା ସହ ସମାନ ବୋଲି ବର୍ଣ୍ଣନା କରି କେନ୍ଦ୍ର ସରକାର 8,000 କୋଟି ଟଙ୍କାର ବ୍ୟୟବରାଦ ସହିତ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିଲେ । ତିନି ବର୍ଷ ଭିତରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା 5 କୋଟି ଲୋକଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ପ୍ରଦାନ କରିବା ହିଁ ଏହି ଯୋଜନାର ମୂଳଲକ୍ଷ୍ୟ ଥିଲା ।
ନିକଟରେ ସଂପୃକ୍ତ ବିଭାଗୀୟ ସଚିବ ଘୋଷଣା କରିଥିଲେ ଯେ, ନାରୀ ସଶକ୍ତୀକରଣ ଏବଂ ମହିଳାମାନଙ୍କୁ ସ୍ବଚ୍ଛ ଇନ୍ଧନ ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଉଜ୍ଜ୍ବଳା ଯୋଜନାରେ, 4 ବର୍ଷ ଭିତରେ 8 କୋଟି ଲୋକଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଦେଶରେ ଏବେ 29 କୋଟି ରନ୍ଧନ ଗ୍ୟାସ୍ ସଂଯୋଗ ରହିଛି । ଆସନ୍ତା ଦୁଇ ବର୍ଷ ଭିତରେ ଆଉ ଏକ କୋଟି ଲୋକଙ୍କୁ ଗ୍ୟାସ୍ ସଂଯୋଗ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନାର ନିୟମକୁ ଆହୁରି କୋହଳ କରିବେ । ହେଲେ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଯୋଗୁଁ ଗରିବ ଲୋକଙ୍କ ଉପରେ ଯେଉଁ ବୋଝ ପଡୁଛି ତାହା ଲାଘବ କରିବା ଦିଗରେ ସରକାର ଆଦୌ ଚିନ୍ତା କରୁନାହାଁନ୍ତି । 20 କୋଟି ଉପଭୋକ୍ତାଙ୍କ ଉପରେ କୋରଡ଼ା ମାଡ଼ କରିବା ଭଳି ନୀତିରେ କେନ୍ଦ୍ର ସରକାର ଏଥର ବଜେଟ୍ରେ ରନ୍ଧନ ଗ୍ୟାସ୍ ଉପରେ ଦିଆଯାଉଥିବା ବାର୍ଷିକ ସବ୍ସିଡିକୁ 40.915 କୋଟି ଟଙ୍କାରୁ 12,995 କୋଟି ଟଙ୍କାକୁ ଖସାଇ ଦେଇଛନ୍ତି ।
ଏବେ ଲୋକେ ଦୁଇ ଆଡୁ ଦୁଃଖ ଭୋଗୁଛନ୍ତି । ଗୋଟିଏ ପଟେ ରନ୍ଧନ ଗ୍ୟାସ୍ ଉପରୁ ସବ୍ସିଡି ହ୍ରାସ କରିଦିଆଯାଇଥିବା ବେଳେ ଅନ୍ୟ ପଟରୁ ଏଲ୍ପିଜି ଉପରେ ଲାଗୁ ବିଭିନ୍ନ ଟିକସକୁ ଖୁବ୍ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ଦିନେ ଜାଳେଣି କାଠ, କୋଇଲା ଏବଂ କିରୋସିନର ବିକଳ୍ପ ରୂପରେ ରନ୍ଧନ ଗ୍ୟାସ୍କୁ ଆଦରି ନେବାକୁ ଲୋକଙ୍କୁ ଉତ୍ସାହିତ କରାଯାଇଥିଲା । ଏଭଳି କରିବା ପରେ ସରକାର ରନ୍ଧନ ଗ୍ୟାସ୍ ଉପରେ ଦିଆଯାଉଥିବା ସବ୍ସିଡିକୁ ରୀତିମତ ହ୍ରାସ କରିଦେଲେ । ଏହି ଅସହ୍ୟ ବୋଝକୁ ଗରିବ ଲୋକେ କିପରି ବହନ କରିବେ ? ଏହି ଲଗାମଛଡ଼ା ଦରବୃଦ୍ଧିର ନକାରାତ୍ମକ ପ୍ରଭାବରୁ କିଭଳି ସେମାନେ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ ?