ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାକୁ ଲାଗିଛି । ଘଟଣାକୁ ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ଲକ୍ଷ୍ମୀପୁର ଖେରୀ ଘଟଣାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇଟିଭି ଭାରତକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ କାର ଚପାଇ ମାରିଦେଇଥିବା କହିଛନ୍ତି ଅଖିଳେଶ । ହିଟଲରଙ୍କ ଶାସନ କାଳରେ ବି ଏଭଳି ଏକଛତ୍ରବାଦ ନଥିଲା ବୋଲି ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ।
ମୃତ ଚାଷୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଅଖିଳେଶ । କେବଳ ସେତିକି ନୁହେଁ ପୋଲିସ ପ୍ରଶାସନ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ଯାଦବ । ସେ କହିଛନ୍ତି ଚାଷୀଙ୍କ ଛବି ଖରାପ କରିବାକୁ ପୋଲିସ ହିଁ ଗାଡି ଜଳାଇ ଦେଇଛି । ଘଟଣାରେ ଦୋଷୀଙ୍କ ତୁରନ୍ତ ଜେଲ ପଠାଯାଉ ବୋଲି ଦାବି କରିଛନ୍ତି ଅଖିଳେଶ ।
ଲକ୍ଷ୍ମୀପୁର ଖେରୀ ଯିବା ପୂର୍ବରୁ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କୁ ଉଠାଇ ନେଇଛି ପୋଲିସ । ଏଭଳି ଅତ୍ୟାଚାର ଇଂରେଜମାନେ ମଧ୍ୟ କରିନଥିବା କହିଛନ୍ତି ଯାଦବ । ଅନ୍ୟପକ୍ଷେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ସପା ନେତା ।
ଏପଟେ ମୃତକଙ୍କ ପରିବାରକୁ ୟୁପି ସରକାର ୪୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ସହିତ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ଘଟଣାରେ ଆହତ ହୋଇଥିବା ଚାଷୀଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଆସନ୍ତା ୮ ଦିନ ମଧ୍ୟରେ ଦୋଷୀଙ୍କୁ ଠାବ କରାଯାଇ କଠୋର ଦଣ୍ଡ ଦିଆଯିବ । ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷତାରେ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।