କୋଲକାତା: ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ଟିଏମସି ମନ୍ତ୍ରୀ ତଥା ବିଜେପି ନେତା ଶ୍ୟାମାପ୍ରସାଦ ମୁଖାର୍ଜୀ ଗିରଫ । ରବିବାର ତାଙ୍କୁ ୧୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଗିରଫ କରିଛି ପୋଲିସ । ଗତ ବିଧାନସଭା ନିର୍ବାଚନ ସମୟରେ ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।
2020ରେ ପୂର୍ବତନ ଟିଏମସି ନେତା ଶ୍ୟାମାପ୍ରସାଦ ମୁଖାର୍ଜୀ ବିଷ୍ଣୁପୁର ବିଧାୟକ ଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରି ସ୍ଥାନୀୟ ନାଗରିକ ସଂସ୍ଥାର ଇଟେଣ୍ଡରରେ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଏହି ମାମଲାକୁ ନେଇ ତଦନ୍ତ ହୋଇଥିଲା ।
ଏହି ମାମଲାକୁ ନେଇ ବାଙ୍କୁରା ଏସପି ଧୀର୍ତ୍ତୀମାନ ସରକାର କହିଛନ୍ତି ଯେ ୯.୯୧ କୋଟି ଟଙ୍କା ଆର୍ଥିକ ଅନିୟମିତତା ମାମଲାର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏହା ପରେ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା ବୋଲି ବାଙ୍କୁରା ଏସପି କହିଛନ୍ତି।
ସେପଟେ ବିଜେପିର ବିଷ୍ଣୁପୁର ସାଂଗଠନିକ ଜିଲ୍ଲା ସଭାପତି ସୁଜିତ ଅଗସ୍ତି ଏହାକୁ ନେଇ କହିଛନ୍ତି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖାର୍ଜୀ ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ସେ ଦଳରେ ଏତେ ସକ୍ରିୟ ନଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସେହି ସମୟର ହୋଇଥିଲା ଯେତେବେଳେ ସେ ତୃଣମୂଳ କଂଗ୍ରେସରେ ଥିଲେ। ସରକାର ବର୍ତ୍ତମାନ ଦୁର୍ନୀତିକୁ ନେଇ ଜାଗ୍ରତ ହୋଇଛନ୍ତି ବୋଲି ସେ କହିଛନ୍ତି ।