ଭୋପାଳ: ମଧ୍ୟ ପ୍ରଦେଶର ରାଇସେନ ଜିଲ୍ଲାରେ ରେଳ ଧାରଣାରୁ ଜଣେ 20 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ତଦନ୍ତ ପାଇଁ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୃତଦେହ ମିଳିବାର କିଛି ସମୟ ପରେ ମୃତକଙ୍କ ବାପାଙ୍କ ହାତରେ ଲାଗିଛି ହ୍ବାଟ୍ସଆପରେ ଆସିଥିବା ନିର୍ମମ ହତ୍ୟାର ମେସେଜ । ଯେଉଁଥିରେ ତାଙ୍କ ପୁଅର ମୁଣ୍ଡକାଟ କରି ସଜ୍ଜା ଦିଆଯାଇଥିବା ଉଲ୍ଲେଖ କରାଯାଇଛି ।
ପ୍ରାଥମିକ ତଥା ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଥିଲା । ତେବେ ମୃତଦେହ ମିଳିବାର କିଛି ସମୟ ମଧ୍ୟରେ ଏପରି ମସେଜ ଆସିବା ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହକୁ ଦୃଢୀଭୂତ କରିଛି । ଏହି ହତ୍ୟାକାଣ୍ଡ ପଛରେ ଧାର୍ମିକ ବିବାଦୀୟ ଦିଗ ଓ ଜିହାଦୀ ସଂଗଠନର ଭୂମିକା ଥିବା ସନ୍ଦେହ କ୍ରମଶଃ ଘନୀଭୂତ ହେବା ପରେ ରାଜ୍ୟ ସରକାର ତଦନ୍ତ ପାଇଁ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ର ସ୍ଥାନୀୟ ଅଞ୍ଚଳର 20 ବର୍ଷୀୟ ନିଶଙ୍କ ରାଥୋଡ । ନିଶକଙ୍କ ମୃତଦେହ ରବିବାର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା । ତେବେ ଏହି ଘଟଣାର କିଛି ସମୟ ପରେ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିବା ଦେଖିବାକୁ ପାଇଥିଲେ ନିଶଙ୍କଙ୍କ ପିତା ଉମାଶଙ୍କର ରାଥୋଡ । ମେସେଜରେ ନିଶଙ୍କର ହତ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବେଳେ, ଏହାର ଏକମାତ୍ର ସଜ୍ଜା କେବଳ ମୁଣ୍ଡକାଟ ବୋଲି ଲେଖାଥିବା ଦେଖିବାକୁ ମିଲିଥିଲା ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ମଧ୍ୟ ପ୍ରଦେଶ ସରକାର ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ପୋଲିସ ବିଭାଗକୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଗଠନ କରି ମାମଲାର ତ୍ବରିତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେସେଜ ଆସିଥିବା ନମ୍ବର ଜରିଆରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି SIT । ତେବେ ଏଥିରେ ପ୍ରଫେଟ ମହମ୍ମଦ ବିବାଦ ପରି ଘଟଣା ଥିବା ଓ ଜିହାଦୀ ଗୋଷ୍ଠୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ