ସଂପ୍ରତି ଜାତୀୟ ରାଜଧାନୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନକୁ କେବଳ ଅସ୍ତିତ୍ବ ବଜାୟ ରଖିବା ପାଇଁ ସଂଘର୍ଷ ବୋଲି ସର୍ବୋତ୍ତମ ଭାବରେ ବର୍ଣ୍ଣନା କରାଯାଇପାରିବ । ଆନ୍ଦୋଳନକାରୀ କୃଷକଙ୍କ ମତରେ ‘ଆତ୍ମ ନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଆଳରେ କେନ୍ଦ୍ର ସରକାର ଯେଉଁ କୃଷି ଆଇନଗୁଡ଼ିକ ପ୍ରଣୟନ କରିଛନ୍ତି, ତାହା ସେମାନଙ୍କୁ ଜୀବିକା ଉପାର୍ଜନରୁ ବଞ୍ଚିତ କରିବ । ଶୀତଋତୁର ହାଡ଼ଥରା ଶୀତରେ, ଏମିତି କି ବିଶ୍ବ ମହାମାରୀ କୋଭିଡ୍ ସଂକ୍ରମଣର ଆଶଙ୍କା ସତ୍ତ୍ବେ ଏବଂ ସେମାନଙ୍କୁ ଆତଙ୍କବାଦୀ ଓ ଖଲିସ୍ତାନୀ ରୂପେ ଅଭିହିତ କରି ବିଦ୍ରୁପ କରାଯିବା ପରେ ମଧ୍ୟ କୃଷକମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବା ସହିତ 11ଟି ପର୍ଯ୍ୟାୟରେ ସରକାରଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ହେଲେ, ଏହି ସମସ୍ତ ବାର୍ତ୍ତାଳାପ ବ୍ୟର୍ଥ ହୋଇଛି ।
ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଯେ, ସେ କୃଷକମାନଙ୍କର ବିଭିନ୍ନ ସଂଗଠନ ଠାରୁ ମାତ୍ର ଗୋଟିଏ ଫୋନ୍ କଲ୍ ଦୂରତାରେ ଅଛନ୍ତି । ହେଲେ, ରାଜାଙ୍କ ପ୍ରତି ଆନୁଗତ୍ୟ ତୁଳନାରେ ସେମାନଙ୍କ ଆନୁଗତ୍ୟ ଅଧିକ ବୋଲି ପ୍ରମାଣିତ କରିବାକୁ ବ୍ୟାକୁଳ ସରକାରୀ କଳ, ଗଣତନ୍ତ୍ର ଦିବସ ଅବସରରେ କୃଷକମାନଙ୍କ ଦ୍ବାରା ଆୟୋଜିତ ଟ୍ରାକ୍ଟର ପ୍ୟାରେଡ୍ ସମୟରେ ସେମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ କରାଇଥିଲା । ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ସ୍ଥାପନ, ଟ୍ରେଞ୍ଚ ଖୋଳା, ସୁଉଚ୍ଚ ପାଚେରି ନିର୍ମାଣ ସହିତ କଣ୍ଟାଯୁକ୍ତ ତାର ଓ କଣ୍ଟା ଲାଗିଥିବା ପଟି ପକାଇବାରେ ସରକାରୀ କଳର ମନ୍ଦ ଉଦ୍ଦେଶ୍ୟର କେତେକ ଝଲକ ପରିଲକ୍ଷିତ ହୋଇଥିଲା । ଇଣ୍ଟରନେଟ୍ ସେବା ବନ୍ଦ, ଟ୍ରେନ୍ର ଗତିପଥ ପରିବର୍ତ୍ତନ, ଆନ୍ଦୋଳନକାରୀ ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି ଉଦ୍ୟମ, ଆନ୍ଦୋଳନକାରୀଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର ଏବଂ ସେମାନଙ୍କୁ ପିଇବା ପାଣି ଓ ପରିମଳ ସୁବିଧାରୁ ବଞ୍ଚିତ କରାଇବାରେ ସରକାରଙ୍କ ଦମନମୂଳକ ପଦକ୍ଷେପ ଚରମ ସୀମାରେ ପହଞ୍ଚିଲା । “ଆମେ ଭାରତର ଲୋକେ” ନିଜେ ନିଜକୁ ପ୍ରଦାନ କରିଥିବା ସମ୍ବିଧାନରେ ହିଁ ଦେଶର ନାଗରିକମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାର,ପ୍ରଦାନ କରାଯାଇଛି ବୋଲି ସରକାରୀ ବାବୁମାନେ ସଚେତନ ଅଛନ୍ତି କି ?
ଯେଉଁ ଆଇନଗୁଡ଼ିକ କୃଷକମାନଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି ସରକାର ଲୋକଦେଖାଣିଆ ଭାବରେ ଦାବି କରିଆସୁଛନ୍ତି, ସେଗୁଡ଼ିକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସରକାର ମଧ୍ୟ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । କୃଷକମାନେ ନ୍ୟୂନତମ ସମର୍ଥନ ମୂଲ୍ୟର ଆଇନଗତ ବୈଧତା ଦାବି କରୁଥିବା ବେଳେ ସରକାର ଏ ସଂପର୍କରେ କେବଳ ଏକ ଲିଖିତ ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରାଇ ପାରିଲେ ହିଁ ସରକାରଙ୍କ ଭାବମୂର୍ତ୍ତି ଚମକି ପାରିବ । ଭାରତ ଇତିହାସରେ ଏଭଳି ବିଶାଳ ଧରଣର କୃଷକ ଆନ୍ଦୋଳନର ଦୁଇଟି ମାତ୍ର ଉଦାହରଣ ରହିଛି । 1907 ମସିହାରେ ସହିଦ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ କକା ସର୍ଦ୍ଦାର ଅଜିତ ସିଂହଙ୍କ ନେତୃତ୍ବରେ ଆୟୋଜିତ ‘ପଗଡ଼ି ସମ୍ଭାଲ ଜଟ୍ଟା’ ( ହେ ଜାଟ୍, ତୁମ ପଗଡ଼ି ବଞ୍ଚାଅ) ଆନ୍ଦୋଳନ ଯୋଗୁଁ ତତ୍କାଳୀନ ବ୍ରିଟିଶ ସରକାର, ଅନୁରୂପ ଭାବରେ ତିନିଟି କଳା ଆଇନକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ । ଏହାର ପ୍ରାୟ ଆଠ ଦଶନ୍ଧି ପରେ, ମହେନ୍ଦର ସିଂହ ଟିକାୟତଙ୍କ ନେତୃତ୍ବରେ ପରିଚାଳିତ ଏବଂ ପରବର୍ତ୍ତୀ ସମୟରେ ବୋଟ୍ କ୍ଲବ୍ ଆନ୍ଦୋଳନ ନାଁରେ ସୁପରିଚିତ କୃଷକ ଆନ୍ଦୋଳନ ଯୋଗୁଁ ରାଜୀବ ଗାନ୍ଧିଙ୍କ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନରେ, ପ୍ରତିକୂଳ ପାଗ ଯୋଗୁଁ ପ୍ରତିଦିନ ଅନ୍ୟୂନ ଜଣେ ଲେଖାଏଁ କୃଷକ ପ୍ରାଣ ହରାଉଥିବା ସତ୍ତ୍ବେ ଆନ୍ଦୋଳନରୁ ଓହରି ନଯିବା ପାଇଁ କୃଷକମାନଙ୍କ ନିଷ୍ପତ୍ତିରେ ସେମାନଙ୍କ ସଚ୍ଚୋଟ ମନୋଭାବ ପ୍ରଦର୍ଶିତ ହୁଏ । ସେମାନଙ୍କ ବିରୋଧରେ ସମସ୍ତ ପ୍ରକାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ତିନିଟି ଯାକ ଆଇନ ପ୍ରତ୍ୟାହୃତ ହେଉ ବୋଲି ସେମାନେ ଚାହୁଁଛନ୍ତି ।
ଡକ୍ଟର ସ୍ବାମୀନାଥନ କମିଶନଙ୍କ ସୁପାରିସ ଲାଗୁ କରିବା ପାଇଁ 2014 ମସିହାରେ ଏନ୍ଡିଏ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେମାନେ ସେହି ପ୍ରତିଶ୍ରୁତିରୁ ଓହରି ଯାଇ ଏହି ତିନିଟି ବିବାଦୀୟ ଆଇନ ଆଣିଥିଲେ ଏବଂ ଏହା ଫଳରେ କୃଷକମାନଙ୍କ ଆୟ ଦୁଇଗୁଣ ହୋଇଯିବ ବୋଲି ଦାବି କରିଥିଲେ । ଯଦିଓ କୃଷି, ରାଜ୍ୟର କ୍ଷମତା ପରିସରଭୁକ୍ତ ଏକ ବିଷୟ, ତଥାପି ନୂଆ ଆଇନଗୁଡ଼ିକ ଆଣିବା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରି ନଥିଲେ । କୃଷକମାନଙ୍କ ଜୀବିକା ଉପାର୍ଜନ ସହ ସଂପର୍କିତ ଏହି ଆଇନଗୁଡ଼ିକର ପ୍ରଣୟନ ପୂର୍ବରୁ କେନ୍ଦ୍ର ସରକାର କୃଷକ ସଂଗଠନମାନଙ୍କ ସହିତ ମଧ୍ୟ ଆଲୋଚନା କରି ନଥିଲେ । ଜ୍ଞାତସାରରେ ହେଉ କିମ୍ବା ଅଜ୍ଞାତସାରରେ, ବାସ୍ତବ କ୍ଷେତ୍ରର ସମସ୍ୟାକୁ ସଂପୂର୍ଣ୍ଣ ଅଣଦେଖା କରି, ଆରାମପ୍ରଦ ଶୀତତାପ ନିୟନ୍ତ୍ରିତ କୋଠରିରେ ବସିଥିବା ସରକାରୀ ଅଧିକାରୀମାନେ ଆଇନର ଯେଉଁ ଚିଠା ପ୍ରସ୍ତୁତ କଲେ, ତାହାକୁ ସରକାର ସ୍ବୀକୃତି ଦେଇଥିଲେ ।
ଆଶ୍ଚର୍ଯ୍ୟର କଥା ଯେ, କୃଷକମାନଙ୍କ ଆପତ୍ତି ସଂପର୍କରେ ଜାଣିବା ପରେ ମଧ୍ୟ ସରକାର ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ମନା କରୁଛନ୍ତି । ଏହି ଆଇନଗୁଡ଼ିକୁ ଦେଢ଼ ବର୍ଷ ପାଇଁ ଝୁଲାଇ ରଖିବା ବଦଳରେ ଏଗୁଡ଼ିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ସହିତ ସରକାର କାହିଁକି ସମସ୍ତଙ୍କ ପାଇଁ ଗ୍ରହଣୀୟ ନୂତନ ଆଇନ ପ୍ରଣୟନ କରୁନାହାନ୍ତି ? ଆମ ଦେଶରେ ଆଜି ବିରୋଧୀ ଦଳଗୁଡ଼ିକ କେତେ ଦୁର୍ବଳ, ସେକଥା କୃଷକଙ୍କ ଆନ୍ଦୋଳନରୁ ପୁଣି ପଦାକୁ ଆସିଛି । କୃଷକଙ୍କ ସ୍ବାର୍ଥରକ୍ଷା ଲାଗି ଉତ୍ସର୍ଗୀକୃତ ମନୋଭାବ ସଂପନ୍ନ ଏନ୍.ଜି. ରଙ୍ଗାଙ୍କ ଭଳି ଶକ୍ତିଶାଳୀ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଆଜି କୃଷକ ସମାଜ ଏଭଳି ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛି । ସକଳ ପ୍ରକାରର ଅନିଶ୍ଚିତତା ମଧ୍ୟରେ, ସେହି ପ୍ରଶ୍ନଟି ଏବେ ବି ଅନୁତ୍ତରିତ ରହିଛି ଯେ. ଏହି ଅଚଳାବସ୍ଥାର ଅବସାନ କେବେ ଘଟିବ ?