ପାଟନା: ବିହାରର ବାଙ୍କା ଅଞ୍ଚଳରେ ରାତାରାତି ଗାଏବ ହେଲା ୨ କିଲୋମିଟର ରାସ୍ତା (Encroachment On 2 KM Road In Banka) । ଆଉ ସକାଳେ ଉକ୍ତ ସ୍ଥାନରେ ଦେଖିବାକୁ ମିଳିଲା କ୍ଷେତ । ଯାହାକି ଖାଲି ଆପଣଙ୍କୁ ନୁହେଁ ଉକ୍ତ ଅଞ୍ଚଳର ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ଦିନ ପୂର୍ବରୁ ଉକ୍ତ ରାସ୍ତା ଦେଇ ଲୋକେ ଯାତାୟାତ କରୁଥିବା ବେଳେ ଏହା କିଛି ଘଣ୍ଟା ମଧ୍ୟରେ କିପରି ଗାଏବ ହେଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ମୁଖ୍ୟ ଯାତାୟତ ରାସ୍ତା ଥିବାରୁ ପ୍ରଶାସନ ନିକଟରେ ପୁନଃ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।
ବାଙ୍କାରେ ରାସ୍ତା ଚୋରି !
ବିହାରରୁ ଅନେକ ସମୟରେ ଅବିଶ୍ବସନୀୟ ଘଟଣାମାନ ଆସିଥାଏ । କେତେବେଳେ ଦିବା ଆଲୋକରେ ସ୍ବିମିଂ ପୁଲ୍ ଗାଏବ ହୁଏ ତ ଆଉ କେତେବେଳେ ଆଖି ପାଉନଥିବା ମୋବାଇଲ ଟାୱାର ମଧ୍ୟ ଉଭାନ ହୋଇଯାଏ । ଏବେ ରାତାରାତି ୨ କିମି ରାସ୍ତା ଚୋରି ହୋଇଯିବା ନେଇ ମଧ୍ୟ ଖବର ଆସିଛି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଘଟଣା ରଜୋନ ଅଞ୍ଚଳର ଖରୌନୀ ଗ୍ରାମର । ଖରୌନୀ ଓ ଖାଦମପୁରକୁ ଏହି ରାସ୍ତା ସଂଯୋଗ କରିଥାଏ । ଯେତେବେଳେ ସକାଳେ ଏହି ରାସ୍ତା ଦେଇ ଲୋକେ ଯାତାୟାତ କରିଥିଲେ ପ୍ରଥମେ ଭୟଭୀତ ହୋଇଥିଲେ ।
ଏହା ବି ପଢନ୍ତୁ- ବିହାରରେ ମଦ ନିଷେଧ, ମାତ୍ର ହାଜତରେ ମଦ ପାର୍ଟି !
ରାତିରେ ଥିବା ରାସ୍ତାଟି ସକାଳେ କ୍ଷେତରେ ପରିଣତ ହୋଇଛି । କୁହାଯାଉଛି ଯେ ଖରୌନୀ ଗ୍ରାମର କିଛି ଲୋକେ ଏହି କାର୍ଯ୍ୟ କରିଛନ୍ତି । ଏ ନେଇ ଯେତେବେଳେ ଖାଦମପୁର ଗ୍ରାମବାସୀ ଆପତ୍ତି ଉଠାଇଥିଲେ, ସେତେବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଦୁର୍ବୃତ୍ତ ଲାଠି ଆଣି ଆକ୍ରମଣ କରିବାକୁ ଆସିଥିଲେ । ଏହାପରେ ଗ୍ରାମବାସୀଙ୍କୁ ସେଠାରୁ ବିତାଡ଼ିତ କରିଥିଲେ ।
କ୍ଷେତ୍ରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ:-
ଏହି ଘଟଣାରେ ଗ୍ରାମର ପ୍ରାୟ ୩୦ରୁ ଅଧିକ ଲୋକେ କ୍ଷେତ୍ରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ବୁଧବାର ଏ ନେଇ ଅଭିଯୋଗ ହୋଇଥିବା ବେଳେ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ସର୍କଲ ଅଫିସର ବା କ୍ଷେତ୍ରୀୟ ଅଧିକାରୀ ମହମ୍ମଦ ମୋଇନୁଦ୍ଦିନ କହିଛନ୍ତି । ଏ ନେଇ ସେ କହିଛନ୍ତି, " ରାସ୍ତା ଉଚ୍ଛେଦ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି । ମାମଲାର ଯାଞ୍ଚ ପାଇଁ କର୍ମଚାରୀଙ୍କୁ ପଠାଯାଇଛି । ଯଦି ଘଟଣାଟି ସତ ପ୍ରମାଣିତ ହୁଏ ତେବେ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"