ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ । ଉତ୍ତରପ୍ରଦେଶ ବୁଲନ୍ଦଶହର ଗୁଲାବଠୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନୋଏଡା ଏସଟିଏଫ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶାହାବ ସିଂହର ମୃତ୍ୟୁ ହୋଇଛି । ଅପରାଧୀ ମୁଣ୍ଡ ଉପରେ 1.25 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଖସି ପଳାଉଥିବାବେଳେ ଘଟଣାସ୍ଥଳରେ ପୋଲିସ ଏନକାଉଣ୍ଟର କରିଥିଲା ।
ଏସପି ସିଟି ସୁରେନ୍ଦ୍ର ନାଥ ତିୱାରୀଙ୍କ ସୂଚନା ଅନୁଯାୟୀ, ଏହି ଅପରାଧୀକୁ ଧରିବା ପାଇଁ ଗତ ରବିବାର ରାତିରେ ଗୁଲାବଠୀ ଥାନା ପରିସରରେ ଏସଟିଏଫ ନୋଏଡା ୟୁନିଟ ଏବଂ ବୁଲନ୍ଦଶହର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଉଭୟ ପଟୁ ଗୁଳି ଚାଳନା ହୋଇଥିବାବେଳେ ଅପରାଧୀ ଶାହାବ ସିଂହ ଗୁରୁତର ଆହତ ହୋଇଥିଲା । ଏହାପରେ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଦ୍ଦାନ୍ତ ଅପରାଧୀ ଶାହାବ ସିଂହ ଫିରୋଜାବାଦ ଥାନା ଅନ୍ତର୍ଗତ ଜସରାନା ସ୍ଥିତ ସଜେତି ଗ୍ରାମର ବାସିନ୍ଦା ଅଟେ । ଶାହାବ ବିରୁଦ୍ଧରେ ଅନେକ ହତ୍ୟା, ଚୋରି, ଡକାୟତି ମାମଲା ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Pre-term Delivery: ହସ୍ପିଟାଲରେ ନବଜାତକୁ ମୃତ କହିଲେ ଡାକ୍ତର, ଘରେ ଚାଲିଲା ପ୍ରଶ୍ବାସ
ଗତବର୍ଷ ଅଗଷ୍ଟ 18 ତାରିଖରେ ଏକ ଡକାୟତି ଗ୍ୟାଙ୍ଗରେ ସେ ସାମିଲ ଥିଲା । ଯେଉଁଥିରେ ଗୋଟିଏ ପରିବାରର 5 ଜଣଙ୍କ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ନବଜାତ ଶିଶୁ ମଧ୍ୟ ଥିଲେ । ଏଥିରେ 8 ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ତେଣୁ ଏହି ଦୁର୍ଦ୍ଦାନ୍ତ ଅପରାଧୀ ବିରୋଧରେ ଗୋଣ୍ଡା ଜିଲ୍ଲାରେ 1 ଲକ୍ଷ ଓ ବୁଲନ୍ଦଶହରରେ 25 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ ପହଞ୍ଚିବା ପୂର୍ବରୁ ହେଲା ଟ୍ରାଫିକ ଜାମ, 2 କିମି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ
ଶାହାବ ସିଂହ ଏକ ଆଦିବାସୀ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ ଥିଲା । ଏମାନେ ହତ୍ୟା କରି ଘରୁ ଲୁଟ କରୁଥିଲେ । 11 ଅଗଷ୍ଟ 2029ରେ ଉତ୍ତରପ୍ରଦେଶର ଦିବାଇରେ D-14 ଗ୍ୟାଙ୍ଗର ସଦସ୍ୟ ଥିଲା । ଏହା ବ୍ୟତୀତ 19 ଡିସେମ୍ବର 2006ରେ ଆଲିଗଡ଼ ଥାନା ଅନ୍ତର୍ଗତ ଚାରା ଅଞ୍ଚଳରେ ଘରେ ପଶି ଅଭିଯୁକ୍ତ ଦୁଇ ଜଣଙ୍କୁ ହତ୍ୟା କରି ଡକାୟତି କରିଥିଲା । ସେହିପରି 20 ସେପ୍ଟେମ୍ବର 2014ରେ ବୁଲନ୍ଦଶହର ଥାନା ଅନ୍ତର୍ଗତ କୋଟୱାଲି ନଗର ଅଞ୍ଚଳରେ ଘରେ ପଶି ଲୋକଙ୍କ ଉପରେ ଆକ୍ରମଣ କରି ଅଳଙ୍କାର ଓ ସୁନା ଲୁଟିନେଇଥିଲା ।