ରାୟପୁର: ପୁଣି ପୋଲିସ ଓ ନକ୍ସଲ ମୁହାଁମୁହିଁ । ଛତିଶଗଡ଼ କାଙ୍କେର ନିକଟ ଅମାବେଡା ଜଙ୍ଗଲ ନିକଟରେ ଆଜି (ଶୁକ୍ରବାର) ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପ୍ରଥମେ ନକ୍ସଲମାନେ ଗୁଳି ଚାଳନା କରିବା ବେଳେ ସେହି ସମୟରେ ଜଙ୍ଗଲରେ ଉପସ୍ଥିତ ରହିଥିଲେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଓ ସୀମା ସୁରକ୍ଷା ବଳ (BSF) । ଏହାପରେ ଯବାନମାନେ ନକ୍ସଲଙ୍କ ଗୁଳିର ଉଚିତ ଜବାବ ଦେଇଛନ୍ତି । ଏନେଇ ଏସପି ଦିବ୍ୟଙ୍ଗ ପଟେଲ ସୂଚନା ଦେଇଛନ୍ତି ।
ନକ୍ସଲଙ୍କ ଗୁଳି ଚାଳନା ପରେ ଯେତେବେଳେ ଏହାର ଜବାବରେ ବିଏସଏଫ ଯବାନମାନେ ଗୁଳି ଚାଳନା କରିଥିଲେ, ସେତେବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘନ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ । ଏହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏଯାବତ କୌଣସି ନକ୍ସଲଙ୍କ ମୃତଦେହ ମିଳିନାହିଁ । ହେଲେ ଯବାନମାନେ ଉକ୍ତ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ କରିଛନ୍ତି । ଏନେଇ ସୂଚନା ଦେଇ ଏସପି ଦିବ୍ୟଙ୍ଗ ପଟେଲ କହିଛନ୍ତି ଯେ ଯବାନମାନେ ଏବେ ବି ଜଙ୍ଗଲରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଞ୍ଚଳର ସୁରକ୍ଷା ଦୃଷ୍ଟିରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହା ବି ପଢନ୍ତୁ- ନିର୍ବାଚନ ବେଳେ ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଜଣେ ITBP ଯବାନ ଶହୀଦ
ଏହା ପୂର୍ବରୁ ରେଳ ଦୁର୍ଘଟଣା କରାଇବା ଲାଗି ନକ୍ସଲମାନେ ରେଲୱେ ଟ୍ରାକରେ ଆଇଡି ଖଞ୍ଜିଥିଲେ । ହେଲେ କୌଣସି ଅଘଟଣ ଘଟିବା ପୂର୍ବରୁ ଡିପିଏଫ ଓ ଏସଏସବି ଅଧିକାରୀ ବୋମାକୁ ନିଷ୍କ୍ରିୟ କରି ନକ୍ସଲମାନଙ୍କ ଯୋଜନାକୁ ପଣ୍ଡ କରିଥିଲେ । ସୂଚନା ଥାଉ କି ଛତିଶଗଡ଼ ବିଧାନସଭା ନିର୍ବାଚନରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ପୁଣି ମାତିଥିଲେ ନକ୍ସଲ । ଆଇଡି ବିସ୍ଫୋରଣ ଯୋଗୁଁ ଜଣେ ଯବାନ ଶହୀଦ ହୋଇଥିଲେ । ଭୋଟ ଗ୍ରହଣ ଶେଷ ହେବା ପରେ ସୁରକ୍ଷା ଦାୟିତ୍ବରେ ଥିବା ଏହି ଶହୀଦ ଯବାନ ଜଣକ ଫେରୁଥିବା ସମୟରେ ଗୋବରା ନିକଟରେ ନକ୍ସଲମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।
ଆହତ ଆଇଟିବିପି ଯବାନଙ୍କୁ ସଙ୍ଗେ ସଙ୍ଗେ ଗରିୟାବନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କର ମୃତ୍ୟୁ ଘଟିଥିଲା । ସେହିପରି ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ ତାରିଖରେ ହୋଇଥିଲା । ଏହି ସମୟରେ ମଧ୍ୟ ହିଂସାକାଣ୍ଡ ଭିଆଇଥିଲେ ନକ୍ସଲ । ସେମାନେ ୨ଟି ବିସ୍ଫୋରଣ ଘଟାଇଥିଲେ ସୁଦ୍ଧା ଏହାର ତୀବ୍ରତା କମ ଥିବାରୁ ସେତେଟା କ୍ଷୟକ୍ଷତି ହୋଇନଥିଲା । ଏହାପରେ ପୋଲିସ ଉକ୍ତ ଅଞ୍ଚଳରୁ ପ୍ରାୟ ୫କେଜି ଆଇଡି ଜବତ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ