ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇଛି ନିର୍ବାଚନ ଆଇନ (ସଂଶୋଧନ) ବିଲ୍ 2021 । ଆଜି (ମଙ୍ଗଳବାର) ରାଜ୍ୟସଭାରେ ଏହି ବିଲ ଆଗତ ହେବା ପରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ବିରୋଧ କରିବା ସହ ହଟ୍ଟଗୋଳ କରିଥିଲେ। ଗତକାଲି (ସୋମବାର) ବିରୋଧ ସତ୍ତ୍ୱେ ଏହି ବିଲ ଲୋକସଭାରେ ପାରିତ ହୋଇଥିଲା । ନକଲି ଭୋଟର ଏବଂ ମତଦାନ ରୋକିବା ପାଇଁ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ଏହି ସଂଶୋଧନ ବିଲରେ ମୁଖ୍ୟ ପ୍ରବଧାନ ଆଣିଛନ୍ତି କେନ୍ଦ୍ର ସରକାର ।
ନିର୍ବାଚନରେ ସଂସ୍କାର ଆଣିବାକୁ ଏହି ବିଲ୍କୁ ଗତ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିଲ । ବିଲ୍ ଅନୁଯାୟୀ, ନିର୍ବାଚନ ଆଇନ ସାମରିକ ଭୋଟରଙ୍କ ପାଇଁ ଲିଙ୍ଗ ନିରପେକ୍ଷ ହେବ । ପ୍ରଚଳିତ ନିର୍ବାଚନ ଆଇନର ବ୍ୟବସ୍ଥା ଅନୁଯାୟୀ, ଜଣେ ସର୍ଭିସମ୍ୟାନଙ୍କ ପତ୍ନୀ ମିଲିଟାରୀ ଭୋଟର ଭାବରେ ପଞ୍ଜୀକୃତ ହେବା ଯୋଗ୍ୟ ବିବେଚିତ ହେବେ, କିନ୍ତୁ ଜଣେ ମହିଳା ସର୍ଭିସମ୍ୟାନ ହୋଇଥିଲେ, ତାଙ୍କ ସ୍ବାମୀ ଏହି ଶ୍ରେଣୀଭୂକ୍ତ ହେବେ ନାହିଁ । ଏହି ପରିପ୍ରେକ୍ଷୀରେ ଲିଙ୍ଗ ନିରପେକ୍ଷତା ସୃଷ୍ଟି କରିବାକୁ ମଧ୍ୟ ଏହି ସଂଶୋଧିତ ବିଲ୍ରେ ପ୍ରସ୍ତାବ ରହିଛି ।
ବିଲ୍ ସଂଶୋଧନର ବୈଶିଷ୍ଟ ଏହା ମଧ୍ୟ ଦର୍ଶାଉଛି ଯେ ନିର୍ବାଚନ ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ କେନ୍ଦ୍ର ସରକାର ନିର୍ବାଚନ ଆୟୋଗ ସମେତ ବିଭିନ୍ନ କ୍ଷେତ୍ରରୁ ସମୟ ସମୟରେ ନିର୍ବାଚନ ସଂସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରୁଛନ୍ତି । ନିର୍ବାଚନ ଆୟୋଗର ପ୍ରସ୍ତାବକୁ ଭିତ୍ତି କରି ଲୋକ ପ୍ରତିନିଧୀ ଅଧିନିୟମ 1950 ଏବଂ 1951 ର ମୂଳ ବ୍ୟବସ୍ଥାରେ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି । ସେହି ଅନୁଯାୟୀ ନିର୍ବାଚନ ଆଇନ ସଂଶୋଧନ ବିଲ୍ 2021 ରେ ପରିବର୍ତ୍ତିତ ପ୍ରସ୍ତାବ ଦିଆଯାଇଥିବା ବିଲରେ ଦର୍ଶାଯାଇଛି ।
ଏଥିସହ ଅଧିନିୟମର ଧାରା 14 ର ଧାରା (ଖ) କୁ ସଂଶୋଧନ କରିବାକୁ ପ୍ରୟାସ କରାଯିବା ସହ ଭୋଟର ତାଲିକାର ପ୍ରସ୍ତୁତି କିମ୍ବା ସଂଶୋଧନ ପ୍ରକ୍ରିୟାର ସମୟ ସାରଣୀରେ କିଛି ପରିବର୍ତ୍ତନ ଅଣାଯାଇଛି । ଜାନୁୟାରୀ 1 ତାରିଖ, ଏପ୍ରିଲର 1 ତରିଖ, ଜୁଲାଇର ପ୍ରଥମ ଦିନ ଏବଂ କୈଣସି କ୍ୟାଲେଣ୍ଡର ବର୍ଷରେ ଅକ୍ଟୋବର ପ୍ରଥମ ଦିନକୁ ଯୋଗ୍ୟତା ତାରିଖ ଭାବର ବୈଧ କରିବାକୁ ପ୍ରାବଧାନ ରହିଛି ।
ପୂର୍ବ ପ୍ରାବଧାନ ଅନୁସାରେ, ଜାନୁଆରୀରେ କେବଳ ଗୋଟିଏ 'କଟ୍ ଅଫ୍ ଡେଟ୍' ହେତୁ ଅନେକ ଯୁବକ ଭୋଟର ତାଲିକାରେ ପଞ୍ଜୀକରଣରୁ ବଞ୍ଚିତ ହେଉଥିବା ନେଇ ସରକାରଙ୍କୁ ଅବଗତ କରାଇଥିଲେ ନିର୍ବାଚନ ଆୟୋଗ । ତେଣୁ ଯୋଗ୍ୟ ଲୋକଙ୍କୁ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ଅନୁମତି ଦେବା ପାଇଁ ନିର୍ବାଚନ ଆୟୋଗ ଏକାଧିକ 'କଟ୍ ଅଫ୍ ଡେଟ୍' ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ରଖଛନ୍ତି । ପୂର୍ବରୁ ଯେଉଁମାନେ ଜାନୁଆରୀ 2 ରେ କିମ୍ବା ପରେ 18 ବର୍ଷ ପୂରଣ କରିଥିଲେ, ସେମାନେ ପଞ୍ଜୀକୃତ ହୋଇପାରିବେ ନାହିଁ ଏବଂ ପରବର୍ତ୍ତୀ ବର୍ଷ ପଞ୍ଜିକରଣ ପାଇଁ ଅପେକ୍ଷା କରିବାକୁ ପଡୁଥିବ ବେଳେ ଏହାର ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ