ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋରଟେଷ୍ଟ । ନବଗଠିତ ସିନ୍ଧେ ସରକାର ଆଜି ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ । ଗତକାଲି ରାଜ୍ୟପାଳଙ୍କ ଦ୍ବାରା ଆହୂତ ସ୍ବତନ୍ତ୍ର ଦୁଇ ଦିନିଆ ଅଧିବେଶନର ଆଜି ଦ୍ବିତୀୟ ତଥା ଅନ୍ତିମ ଦିବସ । ଗତକାଲି ବାଚସ୍ପତି ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଫ୍ଲୋର ଟେଷ୍ଟର ସାମ୍ନା କରିବ ଏକାନାଥ ସିନ୍ଧେଙ୍କ ନେତୃତ୍ବାଧୀନ ସରକାର । ଗତକାଲି (ରବିବାର) ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା । ଏଥିରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସିନ୍ଧେ ଗୋଷ୍ଠୀର ସମସ୍ତ ବିଧାୟକ ଓ ବିଜେପି ବିଧାୟକମାନେ ଉପସ୍ଥିତ ରହି ଫ୍ଲୋର ଟେଷ୍ଟ ରଣନୀତି ଉପରେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ, ତାଙ୍କ ନିକଟରେ 40 ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ଥିବା ପ୍ରଥମ ଦିନରୁ ଦାବି କରିଆସୁଛନ୍ତି । ଅନ୍ୟ ପଟେ ଏକମାତ୍ର ବୃହତ୍ତମ ଦଳ ବିଜେପି ମଧ୍ୟ ସିନ୍ଧେ ଗୋଷ୍ଠୀ ସହ ହାତ ମିଳାଇବା ପରେ ସରକାର ଗଠନ ସମ୍ଭବ ହୋଇଥିଲା । ଏପରି ସ୍ଥଳେ ସଂଖ୍ୟା ଦୃଷ୍ଟିରୁ ନବଗଠିତ ସିନ୍ଧେ ସରକାରକୁ ବହୁମତ ପ୍ରମାଣ ଦେବାରେ କୌଣସି ସଙ୍କଟ ଥିବା ପରି ମନେ ହେଉନାହିଁ । ମୋଟ 288 ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ 144 ବିଧାୟକଙ୍କ ଆବଶ୍ୟକତା ରହିଛି । ଏପରି ସ୍ଥଳେ ବିଜେପିର 106 ବିଧାୟକଙ୍କ ସମର୍ଥନରେ ସିନ୍ଧେ ସରକାରଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ