ନୂଆଦିଲ୍ଲୀ: ସୀମାପାର ଆର୍ଥିକ ଠକେଇ ମାମଲାରେ 6 ବାଂଲାଦେଶୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନଙ୍କ ନିକଟରୁ ନକଲି ଭାରତୀୟ ପରିଚୟପତ୍ର ସହ ଅନ୍ୟ କିଛି ମିଥ୍ୟା ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି । ସୀମାପାର ମନି ଲଣ୍ଡ୍ରିଂ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଏହି ସଫଳତା ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟିମର ମାଷ୍ଟରମାଇଣ୍ଡ ତଥା ବାଂଲାଦେଶରେ 10,000 କୋଟି ଟାକା(ବାଲାଂଦେଶ କରନ୍ସି) ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ହଲଧର ମଧ୍ୟ ରହିଥିବା ସୂଚନା ମିଳିଛି ।
ପ୍ରଶାନ୍ତ ହଲଧର ସମେତ ଅନ୍ୟ କିଛି ମୁଖ୍ଯ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଇଣ୍ଟରପୋଲ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିବୃତ୍ତିରେ କହିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA)ର ଧାରା ଅନୁସାରେ ଏମାନଙ୍କ ନାମରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି । ଏହି ନେଟଓ୍ବାର୍କରେ ଅନ୍ୟ କେଉଁମାନେ ସାମିଲ ଥିଲେ ବା ରହିଛନ୍ତି ତାହା ଜାଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫଙ୍କ ଜେରା ପ୍ରକ୍ରିୟାକୁ ଜୋରଦାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ