ମୁମ୍ବାଇ: ଶିଳ୍ପପତି ଗୁଟଖା ବାରୋନ ଜଗଦୀଶ ଜୋଶୀଙ୍କ ପୁଅ ସଚିନ ଜୋଶୀଙ୍କୁ ଅର୍ଥ ହେରଫେର ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର ରାତିରେ ଗିରଫ କରିଛି । ତେବେ ତାଙ୍କୁ ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କିଛି ଘଣ୍ଟା ଜେରା କରିବା ପରେ ଗିରଫ କରିଥିବା ଜଣାପଡିଛି ।
ସଚିନ ଓମକାର ଗ୍ରୁପ ସହିତ ଅର୍ଥ ହେରଫେର ଘଟଣାରେ ଜଡିତ ଥିଲେ । ଆୟକର ବିଭାଗ ସଚିନଙ୍କ କାର୍ଯ୍ୟାଳୟ ଓ ବାସଭବନ ପରିସର ଯାଞ୍ଚ କରିବା ପରେ ଇଡି ତାଙ୍କୁ ପଚରା ଉଚୁରା କରିଥିଲା । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ରବିବାର ରାତିରେ ଗିରଫ ହୋଇଛନ୍ତି । ସଚିନଙ୍କ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।
ପୂର୍ବରୁ ଜାନୁଆରୀ 27 ତାରିଖରେ ଇଡି ଓମକାର ଗ୍ରୁପର ଚେୟାରମ୍ୟାନ କମଲ ଗୁପ୍ତା ଓ ପରିଚାଳନା ନିର୍ଦ୍ଦେଶକ ବାବୁ ଲାଲ ବର୍ମାଙ୍କୁ ମନି ଲଣ୍ଡରିଂ ରୋକିବା ଆକ୍ଟ, 2002 (PMLA) ଆଧାରରେ ଗିରଫ କରାଯାଇଥିଲା । ଓମକାର ଗ୍ରୁପ 'Yes ବ୍ୟାଙ୍କ'ରୁ ବସ୍ତି ପୁନର୍ବାସ ପ୍ରକଳ୍ପ ପାଇଁ 410 କୋଟି ଟଙ୍କା ଋଣ ନେଇ ଟଙ୍କାକୁ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।
@IANS