ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ । କୋରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ମୃତ୍ୟୁସଂଖ୍ୟା ଦେଶରେ ଭୟ ସୃଷ୍ଟି କରିଛି । କୋଭିଡ ଯୋଗୁଁ ନିର୍ବାଚନର ରାଲି, ସମାବେଶ ଏବଂ ରୋଡ ଶୋ ପାଇଁ କଟକଣା ଜାରି ହୋଇଥିବାବେଳେ ଏହା ବଳବତ୍ତର ରହିବ ନା କିଛି ମାତ୍ରାରେ କୋହଳ ହେବ ସେନେଇ ସଭିଙ୍କ ନଜର ରହିଛି । ତେବେ ଆଜି(ସୋମବାର) ଏନେଇ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ ।
ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମୀକ୍ଷା ବୈଠକ କରିବେ ନିର୍ବାଚନ ଆୟୋଗ । ଯେଉଁଥିରେ 5 ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ଉପରେ କଟକଣା ଲାଗିବ ନା କୋହଳ ହେବ, ସେନେଇ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଗତ ଜାନୁଆରୀ 8 ତାରିଖରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ରାଲିରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଗତ 22 ଜାନୁଆରୀରେ ନିର୍ବାଚନ ଆୟୋଗ ଦ୍ବାରା ଏହି କଟକଣାକୁ ଜାନୁଆରୀ 31 ଯାଏ ବୃଦ୍ଧି କରାଯାଇଥିଲା ।
ଆଜିର ଏହି ବୈଠକରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ସଚିବ ଓ ପାଞ୍ଚଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସାମିଲ ରହିବେ। ଦେଶରେ କୋରୋନା ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଯୋଗୁଁ କଟକଣାକୁ କିଛି ମାତ୍ରାରେ କୋହଳ କରାଯିବା ସମ୍ଭାବନା ରହିଛି । ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ 500 ଲୋକଙ୍କୁ ନେଇ ଜନସଭା କରିବାକୁ ଅନୁମତି ଦିଆଯାଇଥିଲା । ଏହାସହ ଫେବୃଆରୀ 14ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା ଫେବୃଆରୀ 1ରୁ ସାର୍ବଜନୀନ ସଭା କରିବାକୁ ଅନୁମତି ସହ ଖୋଲା ସ୍ଥାନରେ ନିର୍ବାଚନୀ ପ୍ରଚାର ପାଇଁ ଅନୁମତି ଦିଆଯାଇଛି ।
ସୂଚନା ଥାଉକି, ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀ 10ରୁ ଆରମ୍ଭ ହୋଇ ମାର୍ଚ୍ଚ 7 ତାରିଖରେ ଶେଷ ହେବ । ମୋଟ 7ଟି ପର୍ଯ୍ୟାୟରେ ଭୋଗ ଗ୍ରହଣ କରାଯିବ । ଏହାସହ ମାର୍ଚ୍ଚ 10ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ