ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରରେ ନିର୍ବାଚନର ଆକାର ଓ ପ୍ରକାର କୌଣସି କୁମ୍ଭମେଳା ତୁଳନାରେ କିଛି କମ ନୁହେଁ । ହେଲେ, ଦୁର୍ଭାଗ୍ୟର କଥା ଯେ, ନିର୍ବାଚନ ନାମକ ଏହି ପବିତ୍ର ପର୍ବ, ଗଣତନ୍ତ୍ର ପ୍ରତି ଅତୀବ ନିଷ୍ଠା ପ୍ରଦର୍ଶନର ସମୟ ରୂପେ ବିବେଚିତ ହେବା ଉଚିତ ହୋଇଥିଲେ ହେଁ ଏହି ଅବସରରେ ହିଁ ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦିଆଯାଇଥାଏ । 1990 ମସିହାରେ ଟି.ଏନ୍. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ରୂପେ କାର୍ଯ୍ୟଭାର ଗ୍ରହଣ କରିବା ବେଳକୁ ଦେଶର ନିର୍ବାଚନ କ୍ଷେତ୍ରରେ ମାନବୀୟ ମୂଲ୍ୟବୋଧର ସ୍ଥିତି ରସାତଳଗାମୀ ହୋଇସାରିଥିଲା । ସମଗ୍ର କ୍ଷେତ୍ରରେ ସୁଧାର ଆଣିବା ଦିଗରେ ପର୍ଯ୍ୟାପ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିନଥିଲା । ଏହାର ପରିଣତି ସ୍ବରୂପ, ନିର୍ବାଚନ କମିଶନଙ୍କ ନିଯୁକ୍ତି କ୍ଷେତ୍ରରେ ରାଜନୈତିକ ଦୃଷ୍ଟିକୋଣ ହିଁ ଏକମାତ୍ର ମାନକ ରୂପେ ସ୍ଥାପିତ ହୋଇସାରିଥିଲା ।
ଗୋଆର ଆଇନ ବିଭାଗ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ବ ପ୍ରଦାନ ଲାଗି ଗୋଆ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ମତାମତ ବେଶ୍ ମୂଲ୍ୟବାନ । ଏହା ପୂର୍ବରୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ, ମୁକ୍ତ ଓ ଅବାଧ ନିର୍ବାଚନ ଆୟୋଜନ ସକାଶେ ରାଜ୍ୟ ନିର୍ବାଚନ କମିଶନଙ୍କ କ୍ଷମତା କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ସହ ସମାନ ।
ଗଣତନ୍ତ୍ରର ସର୍ବନିମ୍ନ ପର୍ଯ୍ୟାୟରେ ଆୟୋଜିତ ପଞ୍ଚାୟତ ଏବଂ ପୌର ନିର୍ବାଚନ ପରିଚାଳନାରେ ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ କଳୁଷିତ ରାଜନୀତି ଏହି ବ୍ୟବସ୍ଥାକୁ ଗ୍ରାସ କରିବା ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ କ୍ଷମତାର ପବିତ୍ରତା କ୍ଷୁଣ୍ଣ ହେବାରେ ଲାଗିଛି ।
ଜଣେ ସରକାରୀ କର୍ମଚାରୀ କିମ୍ବା ଅମଲାଙ୍କୁ ନିର୍ବାଚନ କମିଶନର ରୂପେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଉଲ୍ଲେଖ କରିବା ସହିତ ସଂପ୍ରତି ଯେଉଁ ସବୁ ରାଜ୍ୟରେ ସରକାରୀ ଅଧିକାରୀମାନେ ନିର୍ବାଚନ କମିଶନଙ୍କ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି ସେମାନେ ତୁରନ୍ତ ଏହି ଦାୟିତ୍ବରୁ ଓହରି ଯିବାକୁ ସୁପ୍ରିମ କୋର୍ଟ, ନିକଟରେ ଦେଇଥିବା ତାଙ୍କ ମନ୍ତବ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମ କୋର୍ଟଙ୍କ ମନ୍ତବ୍ୟର ସାରମର୍ମ ହେଉଛି ଯେ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାର ଦାୟିତ୍ବ ବହନ କରୁଥିବା ରାଜ୍ୟ ନିର୍ବାଚନ କମିଶନରମାନଙ୍କର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ ଏବଂ ଏହା ବିଚାରକୁ ନେଲେ ସାମଗ୍ରିକ ଭାବେ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଅଣାଯିବା ଉଚିତ ।
ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥାପନ ସକାଶେ ଭାରତୀୟ ସମ୍ବିଧାନର ଜନକ ଆମ୍ବେଦକର ଚାହୁଁଥିଲେ । ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନଥିବା କାରଣରୁ ହିଁ ଏବେ ନିର୍ବାଚନ କମିଶନମାନଙ୍କ ନିଯୁକ୍ତି କ୍ଷେତ୍ରରେ ନାନା ପ୍ରକାର ଅନୀତି ପରିଲକ୍ଷିତ ହେଉଛି ।
ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ଏମ୍.ଏସ. ଗିଲ କହିଥିଲେ ଯେ ସ୍ବୀକୃତ ରାଜନୈତିକ ଦଳମାନେ ନିଜ ନିଜ ଚାରିପଟେ ଏକ ବୃତ୍ତ ଆଙ୍କିବା ସହିତ ନିଜର ସାମ୍ବିଧାନିକ ଏବଂ ନୈତିକ ଦାୟିତ୍ବ ପାଳନ କକ୍ଷରୁ ବିଚ୍ୟୁତ ନ ହୋଇ ଏହି ବୃତ୍ତର କେନ୍ଦ୍ରରେ ଠିଆ ହେବା ଉଚିତ ।
ନିର୍ବାଚନ କମିଶନର ଭଳି ଶୀର୍ଷ ସ୍ଥାନୀୟ ପଦବୀ ନିମନ୍ତେ ଜଣେ ନୀତି ନିଷ୍ଠ ଭାବେ ସଚ୍ଚୋଟ ବ୍ୟକ୍ତିଙ୍କୁ ମନୋନୀତ କରିବା ଦିଗରେ ଏବେ ଆମ ଦେଶରେ କୌଣସି ବ୍ୟବସ୍ଥା ନାହିଁ । ଏଭଳି ଦୃଶ୍ୟପଟ୍ଟରେ, ରାଜନୈତିକ ଦଳମାନେ ନିଜ ନିଜର ଇଚ୍ଛାମତେ ଏହି ମନୋନୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ସହିତ ସେମାନଙ୍କ ଇଙ୍ଗିତରେ ପରିଚାଳିତ ହେବା ଭଳି ବ୍ୟକ୍ତିମାନଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଦାନ ନିମନ୍ତେ ସୁଯୋଗ ସୃଷ୍ଟି କରୁଛନ୍ତି । 2017 ମସିହାରେ, ସଂସଦ କକ୍ଷରେ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଦେଇଥିଲେ ଯେ, କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ନିମନ୍ତେ ଅନ୍ୟାନ୍ୟ ରାଜନୈତିକ ଦଳର ପରାମର୍ଶ ନେବାକୁ ସରକାର ଇଚ୍ଛାପୋଷଣ କରୁନାହାନ୍ତି କି କଲେଜିୟମ୍ ସ୍ଥାପନ ଭଳି ଏକ ବ୍ୟବସ୍ଥା ଗ୍ରହଣ ପ୍ରସ୍ତାବକୁ ବିଚାରକୁ ନେଉନାହାନ୍ତି ।
2012 ମସିହାରେ ପୁରୁଖା ବିଜେପି ନେତା ଶ୍ରୀଯୁକ୍ତ ଏଲ୍.କେ. ଆଡ଼ଭାନୀ ନିଜେ କହିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ନିମନ୍ତେ ପ୍ରଚଳିତ ପ୍ରକ୍ରିୟାରେ ଅନେକ ଅନିୟମିତତାର ସମ୍ଭାବନା ରହିଥିବାରୁ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ଲାଗି ବିରୋଧୀ ଦଳମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବା ଉଚିତ । 2006 ମସିହାରେ, ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଟଣ୍ଡନ ଏବଂ 2009ରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଗୋପାଳ ସ୍ବାମୀ ମଧ୍ୟ ଅନୁରୂପ ସୁପାରିସ କରିଥିଲେ । ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ନିମନ୍ତେ ପ୍ରଧାନ ମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଭାରତର ମୁଖ୍ୟ ବିଚାରପତିଙ୍କୁ ନେଇ ଏକ କଲେଜିୟମ୍ ସ୍ଥାପନ ନିମନ୍ତେ 2015 ମସିହାରେ ଆଇନ କମିଶନ ମଧ୍ୟ ମତ ଦେଇଥିଲେ ।
ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାର ବାରମ୍ବାର ଦୁରୁପଯୋଗ କରାଯାଉଥିବାରୁ ଏହି ନିଯୁକ୍ତି କ୍ଷେତ୍ରରେ ଶାସକ ଦଳର ଏକପାଖିଆ ନିଷ୍ପତ୍ତି ଗ୍ରହମ ପ୍ରକ୍ରିୟାକୁ ହଟାଇ ଦେବାକୁ ହୋଇଆସୁଥିବା ଦାବିର ଯୌକ୍ତିକତା ସାବ୍ୟସ୍ତ ହୋଇଛି ।
କାନାଡାର ହାଉସ୍ ଅଫ କମନ୍ସରେ ଗୃହୀତ ପ୍ରସ୍ତାବ ଭିତ୍ତିରେ ସେଠାକାର ମୁଖ୍ୟ ନିର୍ବାଚନ କମିଶନଙ୍କୁ ନିଯୁକ୍ତି ଦିଆଯାଏ । ସୁତରାଂ, ସେ ଦେଶର ସଂସଦ ପ୍ରତି ଉତ୍ତରଦାୟୀ ହୋଇଥାଆନ୍ତି । ଭାରତରେ ମଧ୍ୟ ଏହି ସମାନ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ ।
ନିର୍ବାଚନୀ ପ୍ରକ୍ରିୟାରୁ ଲୋକଙ୍କର ତୁଟିଯାଉଥିବା ଆସ୍ଥାର ପୁନର୍ସ୍ଥାପନ ସକାଶେ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣ ସଂସ୍କାର ଅଣାଯିବା ଉଚିତ । ଏଭଳି ଏକ ବ୍ୟବସ୍ଥା ସ୍ଥାପିତ ହେବା ଉଚିତ ଯେ, ଯାହା ବଳରେ ଦେଶରେ ସ୍ବାଧୀନ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତି ଦିଆଯାଇପାରିବ ଏବଂ ସେମାନେ ନିଜ ନିଜର ସାମ୍ବିଧାନିକ ଦାୟିତ୍ବକୁ ସୁଚାରୁ ରୂପରେ ନିର୍ବାହ କରିପାରିବେ ।