ଜୟପୁର/ଇଟାନଗର: ଭୂକମ୍ପରେ ଥରିଲା ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶ । ବିଳମ୍ବିତ ରାତିରେ ଦୁଇ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ଏବଂ ୩.୫ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଭୂବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁସାରେ, ବିଳମ୍ବିତ ରାତିରେ ରାଜସ୍ଥାନରେ ଭୂକମ୍ପ ହୋଇଥିଲା । ରାତି ୨ଟା ୧୬ ମିନିଟରେ ଏହି ଭୂକମ୍ପ ହୋଇଥିଲା । ରାଜସ୍ଥାନ ବିକାନେରର ପଶ୍ଚିମରୁ ୫୧୬ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଏହାସହ ଅକ୍ଷାଂଶ ୨୮.୪୦ ରହିଥିବା ବେଳେ ଦ୍ରାଘିମା ୬୮.୦୬ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଗଭୀରତା ୮ କିମି ରହିଥିଲା । ଭୂକମ୍ପରେ ଘର ଦୋହଲି ଥିଲା । ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ତେବେ ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ରାଜସ୍ଥାନ ବିକାନେରରେ ଭୂକମ୍ପ ହୋଇଥିଲା । ୪.୧ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଥିଲା ବିକାନେର । ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିମି ତଳେ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରସ୍ଥଳରେ ବିକାନେରଠୁ ୨୩୬ କିମି ଦୂର ଉତ୍ତର-ପଶ୍ଚିମରେ ରହିଥିଲା । ଏହାର ଅକ୍ଷାଂଶ୨୯.୩୮ ରହିଥିଲା ବେଳେ ଦ୍ରାଘିମା ୭୧.୪୫ ରେକର୍ଡ କରାଯାଇଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲା ।
ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଗତ ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିଲା । ରାତି ୧ଟା ୪୫ ମିନିଟ ସମୟରେ ମୃଦୁ ଭୂକମ୍ପରେ ଥରିଥିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପର ଅକ୍ଷାଂଶ ୨୭.୪୮ ଏବଂ ଦ୍ରାଘିମା ୯୬.୧୫ ରହିଥିବା ବେଳେ ଗଭୀରତା ୭୬ କିମି ରେକର୍ଡ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ