ନୂଆଦିଲ୍ଲୀ: ଟେକ ଅଫ ସମୟରେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମାଙ୍ଗାଲୋରରୁ ଦୁବାଇ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ବିମାନରେ ପକ୍ଷୀ ମାଡ ହୋଇଥିବା ସୂଚନା ମିଳିଛି । ଫଳରେ ମାଙ୍ଗାଲୋର ବିମାନବନ୍ଦରରେ ବିମାନଟି ଅବତରଣ କରିଛି । ଆଜି ସକାଳ 8ଟା 30 ମିନିଟ ସମୟରେ ଏପରି ଘଟଣା ଘଟିଥିଲା । ପକ୍ଷୀ ମାଡ ପରେ କୌଣସି ଅଘଟଣ ଘଟିବା ପୂର୍ବରୁ ପାଇଲଟ ବିମାନକୁ ଅବତରଣ କରିଥିଲେ । ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମାଙ୍ଗାଲୋର ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ । ଟେକ ଅଫ ହେବାର କିଛି ସମୟ ପରେ ବିମାନର ଡେଣାରେ ଏକ ପକ୍ଷୀମାଡ ହୋଇଥିଲା । ଏହା ଜାଣିବା ପରେ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ । ଏହାପରେ ବିମାନଟି ମାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିଥିଲା । ଏହାପରେ ଟେକ୍ନିସିଆନ ମାନେ ବିମାନ ମଧ୍ୟରେ ଯାଞ୍ଚ ଜାରି ରଖିଛନ୍ତି । ପକ୍ଷୀ ମାଡ ପରେ ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ପରେ ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଗତ ଏପ୍ରିଲ 4 ତାରିଖରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଯାନ୍ତ୍ରିକ ତୃଟି ଯୋଗୁଁ ବିମାନଟି ଜରୁରୀକାଳିନ ଅବତରଣ କରିଥିଲା । ବେଙ୍ଗାଲୁରୁରୁ ବାରଣାସୀକୁ ଉଡାଣ କରୁଥିଲା ଏହି ଇଣ୍ଡିଗୋ ବିମାନ । ମାର୍ଚ୍ଚ 31 ତାରିଖରେ ମୁମ୍ବାଇରୁ ଗୋରଖପୁରକୁ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଧୂମପାନ କରୁଥିବା ଖବର ସାମ୍ନାକୁ ଆସିଥିଲା । ବିମାନରେ ଧୂଆଁ ହେବା ପରେ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ କ୍ରୁ ମେମ୍ବର ଯାତ୍ରୀ ଜଣଙ୍କୁ ତାଗିଦ କରିଥିଲେ । ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।
ସେହିପରି ମାର୍ଚ୍ଚ 13 ତାରିଖ ଦିନ ଦୋହା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ ବ୍ୟକ୍ତିଜଣଙ୍କ ନାଇଜେରିଆର ହୋଇଥିବା ଜଣାପଡିଥିଲା ।