ହାଇଦ୍ରାବାଦ: ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ପରିମାଣର କୋକେନ ଜବତ । ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(Directorate of Revenue Intelligence) ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ କୋଟି ତଥା ୮ କିଲୋଗ୍ରାମର କୋକେନ ଜବତ କରିଛି । ତେବେ ଏହି କୋକେନକୁ ଡିଆରଆଇ( (Directorate of Revenue Intelligence) ପକ୍ଷରୁ ଗତକାଲି(ରବିବାର) ବିଳମ୍ବିତ ରାତିରେ ଜବତ କରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ, ଦୁଇ ଜଣ ବିଦେଶୀ ଯାତ୍ରୀ ଏହି କୋକେନ ନେଇ ଆସୁଥିବାବେଳେ ଡିଆରଆଇ ଯାଞ୍ଚ କରି ତାଙ୍କ ନିକଟରୁ ଏହାକୁ ଜବତ କରିଥିଲା । ଦୁଇ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବାବେଳେ ଆଉ ଜଣେ ପୁରଷ ଯାତ୍ରୀ ବୋଲି ଡିଆରଆଇ କହିଛି ।
ତେବେ ପୁରୁଷ ଯାତ୍ରୀ ଜଣକ ତାଞ୍ଜାନିଆଁର ନାଗରିକ ହୋଇଥିବାବେଳେ ସେ ବାଣିଜ୍ୟିକ ଭିସା ଦ୍ବାରା ଦକ୍ଷିଣ ଆଫ୍ରିକାର କେପ ଟାଉନରୁ ଦୁବାଇ ଦେଇ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ । ସେହିପରି ମଧ୍ୟ ଆଫ୍ରିକାର ଅଙ୍ଗୋଲରୁ ଜଣେ ମହିଳା ଯାତ୍ରୀ ଟୁରୁଷ୍ଟ୍ ଭିସାରେ ଅଙ୍ଗୋଲ-ମୋଜାମ୍ବିକ୍-ଲୁସକା-ଦୁବାଇ ଦେଇ ହାଇଦ୍ରାବାଦରେ ପହିଞ୍ଚିଥିଲେ । ମାତ୍ର ଏୟାରପୋର୍ଟରେ ପହଞ୍ଚିବା ପରେ ଏମାନେ ମାଦକ ଦ୍ରବ୍ୟ ଆଣୁଥିବା ନେଇ ଡିଆରଆଇ( (Directorate of Revenue Intelligence) ପକ୍ଷରୁ ସନ୍ଦେହ ସୃଷ୍ଟି ହୋଇଥିଲା ।
ଡିଆରଆଇ ଦୁଇ ଯାତ୍ରୀଙ୍କୁ ଯାଞ୍ଚ କରିବା ପରେ ଏମାନଙ୍କ ନିକଟରୁ ୮ କେଜିର କୋକେନ ପାଇଥିଲା । ଉଭୟ ୪ କେଜି ଲେଖାଏଁ କୋକେନ ନେଇ ଆସିଥିବା ଡିଆରଆଇ କହିଛି । ତେବେ ଏହାର ଆନୁମାନିକ ବଜାର ମୂଲ୍ୟ ୮୦ କୋଟି ଟଙ୍କା ହେବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ଏହି ଦୁଇ ଯାତ୍ରୀ ମେଡିସିନ ଭଳି ଏହାକୁ ଗିଳି ପେଟରେ ରଖି ଆଣିଥାନ୍ତି । ସେହିଭଳି ଗତ ଚାରି ମାସ ଭିତରେ ଡିଆରଆଇ ଏମିତି ବିପୁଳ ପରିମାଣର କୋକେନ ଜବତ କରିବା ସହ ଏହିଭଳି ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ତେବେ ପେଟ ଭିତରେ କୋକେନ ପୂରାଇ ଆଣୁଥିବା ବେଳେ ମୁମ୍ବାଇ ଏୟାରପୋର୍ଟରୁ ମାର୍ଚ୍ଚ ଓ ଅପ୍ରେଲରେ ଏହି ୨ଟି ମାମଲାରେ ୨ଜଣ ଯାତ୍ରୀଙ୍କ ନିକଟରୁ ୨.୪୨ କେଜିର କୋକେନ ଜବତ କରାଯାଇଥିଲା ।
ସେହିଭଳି ଅପ୍ରେଲ ୨୦୨୨ରେ ହାଇଦ୍ରାବାଦ ଏୟାରପୋର୍ଟରୁ ୧.୧୫ କେଜି ଜଣେ ଯାତ୍ରୀଙ୍କ ନିକଟରୁ ମଧ୍ୟ ଜବତ କରାଯାଇଥିଲା । ଏଥିସହ ବେଙ୍ଗାଲୁରୁର ୨୦୨୧ ଅଗଷ୍ଟରେ ମଧ୍ୟ ୧ କେଜିର କୋକେନ ମଧ୍ୟ ଜବତ କରାଯାଇଥିଲା । ଏଯାବତ୍ ଜାନୁଆରୀ ୨୦୨୧ ପର ଠାରୁ ଡିଆରଆଇ ୩୫୦ କେଜି କୋକେନ ଜବତ କରିଥିବା ବେଳେ ଏହାର ମୂଲ୍ୟ ୩,୫୦୦ କୋଟି ହେବ । ଏହା ମଧ୍ୟରେ ତୁତିକୋରିନ ବନ୍ଦରରୁ ୩୦୩ କେଜିର ବଡ ଧରଣ କୋକେନ ମଧ୍ୟ ଜବତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ