ନୂଆଦିଲ୍ଲୀ: ଖୁବଶୀଘ୍ର ହିମାଚଳ ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠୁ ସରଗରମ ହୋଇଛି ରାଜନୀତି । ନିର୍ବାଚନ ପାଇଁ ଅଙ୍କକଷା ଚାଲିଥିବା ବେଳେ ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇଛି । ଶୁକ୍ରବାର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟରେ ମାଗଣା ପାଣି ଏବଂ ବିଦ୍ୟୁତ୍ ଘୋଷଣା କରିଛନ୍ତି । ଯାହାକୁ ନେଇ କଡା ପ୍ରତିକ୍ରିୟା ରଖିଛି ଆମ୍ ଆଦମୀ ପାର୍ଟି । ବିଜେପି ସରକାର ଆପ୍କୁ କପି କରୁଥିବା ଅଭିଯୋଗ କରିଛନ୍ତି ଆପ୍ ନେତା ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ କହିଛନ୍ତି, ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାର ଏପରି ଘୋଷଣା ମାଧ୍ୟମରେ ଲୋକଙ୍କ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛି । ଗେରୁଆ ଦଳ ମାଗଣା ବିଜୁଳି ଭଳି ବିଭିନ୍ନ ମାଗଣା ସେବା ବିରୋଧି ବୋଲି ସବୁବେଳେ କୁହେ । ଥରେ ସତ୍ତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରିଥିବା ଘୋଷଣା ସେ ଫେରାଇ ନେବେ । ତେଣୁ ଲୋକମାନେ ବିଜେପିର ଜାଲରେ ପଡନ୍ତୁ ନାହିଁ ବୋଲି ସିସୋଦିଆ ହିମାଚଳ ପ୍ରଦେଶବାସୀଙ୍କୁ କହିବା ସହ ଆପ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ସରକାର ତାଙ୍କ ଶାସନ ମଡେଲକୁ କପି କରୁଥିବା ଅଭିଯୋଗ କରୁଛନ୍ତି । ବିଜେପି ଶାସିତ ସମସ୍ତ ରାଜ୍ୟରେ ସମାନ ଘୋଷଣା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଥିଲେ । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ । ପ୍ରାୟ ୧୧ ଲକ୍ଷ ପରିବାର ଲୋକେ ଏହି ଯୋଜାନାରେ ଉପକୃତ ହେବେ । ଏଥିସହ ମହିଳାଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ଏବଂ ଗ୍ରାମାଞ୍ଚଳରେ ପାଣି ବିଲ ମଧ୍ୟ ଛାଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।