ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଏମ୍ସ ହସ୍ପିଟାଲ ଅସ୍ତ୍ରୋପଚାର କ୍ଷେତ୍ରରେ ସଫଳତା ହାସଲ କରୁଛି । ତେବେ ଜଣେ ଯୁବକ ଗିଳିଥିବା 14 ସେଣ୍ଟିମିଟର ଛୁରୀ ହସ୍ପିଟାଲର ଡାକ୍ତର ଅସ୍ତ୍ରୋପଚାର କରି ବେକ ପଟେ ବାହାର କରିବାରେ ସକ୍ଷମ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଛତରପୁର ଜଣେ ଯୁବକ(38) ଗତ ସୋମବାର 14 ସେଣ୍ଟିମିଟର ଲମ୍ବା ଓ 3.5 ସେଣ୍ଟିମିଟର ଓସାରର ଏକ ଛୁରୀକୁ ଗିଳି ଦେଇଥିଲେ । ତେବେ ଛୁରୀକୁ ଗିଳିବା ପରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେବା ପରେ ଚିକିତ୍ସା ପାଇଁ ସମ୍ପର୍କୀୟ ଭୋପାଳ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ହସ୍ପିଟାଲରେ ତାଙ୍କର ଜରୁରୀକାଳୀନ ସର୍ଜରୀ କରାଯାଇଥିଲା ।
ସର୍ଜରୀ ସମୟରେ ଯୁବକଙ୍କ ଖାଦ୍ୟନଳୀକୁ ଏଣ୍ଡ୍ରୋସ୍କୋପି କରି ଛୁରୀର ଅବସ୍ଥିତି ସମ୍ପର୍କରେ ଜଣାପଡିଥିଲା । ଅସ୍ତ୍ରୋପଚାର ସମୟରେ ଖାଦ୍ୟନଳୀ କଟି ଯିବାର ଆଶଙ୍କା ଥିବାରୁ ଡାକ୍ତର ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଣୁ ଯୁବକଙ୍କ ବେକ ପଟେ ଖାଦ୍ୟନଳୀକୁ 4 ସେଣ୍ଟିମିଟର କଟାଯାଇ ଛୁରୀକୁ ବାହାର କରାଯାଇଥିଲା । ତେବେ ବର୍ତ୍ତମାନ ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
ଏହି ସର୍ଜରୀ କରି ଭୋପାଳ ଏମ୍ସ ହସ୍ପିଟାଲ ନୂଆ ସଫଳତା ହାସଲ କରିଛି । ପୂର୍ବରୁ ଏହି ହସ୍ପିଟାଲରେ ମସ୍ତିଷ୍କରେ ଟ୍ୟୁମର ହୋଇଥିବା ଜଣେ ରୋଗୀଙ୍କ ଚେତା ଥିବା ଅବସ୍ଥାରେ ସର୍ଜରୀ କରାଯାଇଥିଲା । ତେବେ ଏହି ସର୍ଜରୀ ଜାଗ୍ରତ କ୍ରେନିୟୋଟୋମୀ ସର୍ଜିକାଲ ପ୍ରକ୍ରିୟାରେ ହୋଇଥିଲା । ଏହି ସର୍ଜରୀର ଚାଞ୍ଚଲ୍ୟକର ବିଷୟ ହେଉଛି ସର୍ଜରୀ ସମୟରେ ରୋଗୀ ଜଣକ ମାଳ ଜପୁଥିଲା ଏବଂ ଏହାରି ମଧ୍ୟରେ ତାର ସର୍ଜରୀ ଶେଷ କରାଯାଇଥିଲା ।
ଜାଗ୍ରତ କ୍ରେନିୟୋଟୋମୀ କ’ଣ?
ଜାଗ୍ରତ କ୍ରାନିଓଟୋମି ହେଉଛି ଏକ ଇଣ୍ଟାକ୍ରେନିଆଲ୍ ସର୍ଜିକାଲ୍ ପଦ୍ଧତି । ଯେଉଁଥିରେ ଅସ୍ତ୍ରୋପଚାର ସମୟରେ ରୋଗୀ ଜାଣିଶୁଣି ଜାଗ୍ରତ ବା ଚେତାରେ ରହିଥା’ନ୍ତି । ମସ୍ତିଷ୍କର କ୍ଷତି ନହେବା ପାଇଁ ରୋଗୀଙ୍କୁ ଜାଗ୍ରତ କରି ରଖାଯାଇଥାଏ । ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ବହୁତ ଲୋକପ୍ରିୟ ହୋଇପାରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ