ନୂଆଦିଲ୍ଲୀ: ଆଉ ଦିନକ ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ହେବ ଆଲୋକର ବିଜୟ । ସବୁଠି ଉତ୍ସବର ମାହୋଲ । ରଙ୍ଗବେରଙ୍ଗର ଆଲୋକ ସଜା ସହ ଉଜ୍ଜଳ ଦୀପର ଆଲୋକରେ ଆଲୋକିତ ହେବ ଅମାବାସ୍ୟ ରାତି । ତେବେ ଏହି ଭାରତୀୟ ପର୍ବ ଏବେ ବିଦେଶରେ ପହଞ୍ଚିଛି । ଆମ ପରମ୍ପରା ଓ ସଂସ୍କୃତି କେବଳ ଦେଶରେ ସୀମିତ ନୁହେଁ, ଏହା ଧୀରେ ଧୀରେ ବିଦେଶର ଅନେକ ସ୍ଥାନରେ ଆନନ୍ଦରେ ପାଳନ କରାଯାଉଛି । ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଏହି ଆଲୋକର ପର୍ବ ପାଳିତ ହେଉଛି । ଆଜି ଆସନ୍ତୁ ଜାଣିବା ବିଦେଶର କେଉଁ ସ୍ଥାନରେ କିପରି ଏହି ଆନନ୍ଦର ପର୍ବ ପାଳିତ ହୋଇଥାଏ ।
ସାଧାରଣ ଭାବରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା, ମିଆଁମାର, ନେପାଳ ସମେତ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ମରିସସ୍, କେନିଆ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ଗୁୟାନା, ସୁରିନାମ, ନେଦରଲ୍ୟାଣ୍ଡ, କାନାଡା, ବ୍ରିଟେନ ଏବଂ ଆମେରିକାରେ ଦୀପାବଳି ପାଳନ କରାଯାଏ। । ଏହା ବ୍ୟତୀତ ଅନେକ ଦେଶରେ ଦୀପାବଳି ପରି ଏକ ସ୍ବତନ୍ତ୍ର ପ୍ରକାରର ଅଗ୍ନି ମହୋତ୍ସବ ପାଳନ କରାଯାଏ । ଯେଉଁଥିରେ ଲୋକେ ଆତସବାଜି ସହିତ ନିଜ ନିଜ ଢଙ୍ଗରେ ଏହି ପର୍ବକୁ ପାଳନ କରନ୍ତି । ଏହି ପର୍ବଗୁଡିକ ପାଳନ କରିବା ପଛରେ ଭିନ୍ନ ବିଶ୍ବାସ ମଧ୍ୟ ରହିଛି । ଯାହା ଏହି ଦେଶରେ ଭିନ୍ନ ନାମ ଦ୍ବାରା ଜଣାଶୁଣା । କେତେକ ସ୍ଥାନରେ କେତେକ ସ୍ବତନ୍ତ୍ର ରୀତିନୀତି ରହିଛି ।
ଗ୍ରେଟ ବ୍ରିଟେନରେ ଦୀପାବଳି (Diwali in Great Britain):-
ଦୀପାବଳି ଭାରତରେ ଉତ୍ସାହ ଏବଂ ଉଲ୍ଲାସର ସହିତ ପାଳନ କରାଯାଏ । ସେହିଭଳି ଲଣ୍ଡନରେ ଦୀପାବଳି ଉତ୍ସବ ଏକ ବଡ଼ ଆକାରରେ ଆୟୋଜିତ ହୋଇଥାଏ । ବ୍ରିଟିଶମାନେ ମଧ୍ୟ ଏହି ପର୍ବକୁ ବହୁତ ପସନ୍ଦ କରନ୍ତି । କୁହାଯାଏ ଯେ ଭାରତ ପରେ ଏହା ଇଂଲଣ୍ଡର ସବୁଠାରୁ ଧୁମଧାମର ସହିତ ପାଳନ କରାଯାଏ । ଲଣ୍ଡନବାସୀଙ୍କ ଉତ୍ସାହ ଦୀପାବଳିରେ ଦେଖାଯାଏ । ଏହି ଦିନ ଲଣ୍ଡନକୁ ରାଣୀ ପରି ସୁସଜ୍ଜିତ କରାଯାଏ । ବ୍ରିଟେନରେ ଜଙ୍ଗଲ ଘେରା ଅଞ୍ଚଳ ଲେଷ୍ଟରରେ ରହୁଥିବା ହିନ୍ଦୁ, ଜୈନ ଓ ସିଖ ସମ୍ପ୍ରଦାୟର ଲୋକେ ଦୀପାବଳିକୁ ଖୁବ ଧୁମଧାମର ସହିତ ପାଳନ କରନ୍ତି ।
ଏମାନଙ୍କୁ ଦେଖି ଏଠାରେ ରହୁଥିବା ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ଦୀପାବଳିକୁ ପାଳନ କରନ୍ତି ଏବଂ ପରସ୍ପର ମଧ୍ୟରେ ଖୁସିର ମୁହୂର୍ତ୍ତ ବାଣ୍ଟନ୍ତି । ଆମ ଦେଶ ପରି ଦୀପାବଳିରେ ଲୋକେ ପାର୍କରେ ଏବଂ ଖାଲି ସ୍ଥାନରେ ଏକତ୍ରିତ ହୋଇ ବାଣ ଫୁଟାଇଥାନ୍ତି । ଏହା ବ୍ୟତୀତ ଲୋକମାନେ ସେମାନଙ୍କର ପରିଚିତ ଏବଂ ପଡ଼ୋଶୀମାନଙ୍କୁ ମିଠା ଏବଂ ଉପହାର ମଧ୍ୟ ବଣ୍ଟନ କରିଥାନ୍ତି ।
ଜାପାନରେ ଦୀପାବଳି (Diwali in Japan):-
ଆଲୋକର ପର୍ବ ଦୀପାବଳିକୁ ଜାପାନରେ ଓନିୟୋ ଫେୟାର ଫେଷ୍ଟିଭାଲ ଭାବେ ପାଳନ କରନ୍ତି । ଏହି ଉତ୍ସବକୁ ପ୍ରତିବର୍ଷ ଜାନୁଆରୀ ମାସରେ ଏଠାରେ ପାଳନ କରାଯାଏ । ଓନିୟୋ ଉତ୍ସବ ଜାପାନର ସବୁଠୁ ପୁରାତନ ଉତ୍ସବ ମଧ୍ୟରୁ ଗୋଟିଏ । ଏଠାରେ ଫୁକୁଓକାରେ ଦୀପାବଳି ଭଳି ଆଲୋକ ଭରା ପର୍ବକୁ ପାଳନ କରାଯାଏ । ଏହି ଅବସରରେ ଏଠାରେ ୬ଟି ମଶାଲ ଜଳାଯାଇଥାଏ, ଯାହାକି ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ ହୋଇଥାଏ । ଏଠାରେ ନିଆଁ ଜଳୁଥିବା ବତୀକୁ ଗୋଟିଏ ମନ୍ଦିରରୁ ଅନ୍ୟ ଏକ ମନ୍ଦିରକୁ ନିଆଯିବାର ପରମ୍ପରା ରହିଛି । ଏହି ଉତ୍ସବରେ ଜାପାନି ମାନେ ଧବଳ ବର୍ଣ୍ଣର ପୋଷାକ ପିନ୍ଧନ୍ତି । ଏହାସହିତ ଏଠାକାର ଅଧିବାସୀ ନିଆଁକୁ ବ୍ୟବହାର କରି ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏହି ପର୍ବକୁ ଜାପାନରେ ଶୁଭ ପର୍ବ ଭାବେ ବିବେଚନା କରାଯାଏ ।
ଫ୍ଲୋରିଡ଼ାରେ ଦିୱାଲି (Diwali in Florida):-
ଫ୍ଲୋରିଡ଼ାର ଅଲ୍ଟୁନା ସହରରେ ଅକ୍ଟୋବର ୩୧ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଧୁମଧାମର ସହିତ 'ସୈମହେନ' ପର୍ବ ପାଳନ କରାଯାଏ । ଏହାକୁ ଦେଖିବା ଲାଗି ଲୋକେ ବହୁ ଦୂରରୁ ଆସିଥାନ୍ତି । ଅଶରୀରିଙ୍କ ସମ୍ମାନ ଲାଗି ଏହି ଉତ୍ସବ ଆୟୋଜିତ ହେଉଥିବା ବେଳେ ବନ ଫାୟାର ମଧ୍ୟ ଜଳାଇଥାନ୍ତି ଏଠାକାର ଲୋକେ । ମନୋରଞ୍ଜନ ଓ ଭିନ୍ନ ଭିନ୍ନ ବିଷୟବସ୍ତୁ (Theme) ଉପରେ ଆଧାରିତ ଏହି ଉତ୍ସବର ସାକ୍ଷୀ ହେବା ପାଇଁ ଅନ୍ୟ ଦେଶରୁ ମଧ୍ୟ ଲୋକ ଆସିଥାନ୍ତି । ଏହି ଉତ୍ସବରେ ସ୍ଥାନୀୟ ଲୋକଙ୍କ ସହିତ ବିଦେଶୀ ମଧ୍ୟ ଭରପୂର ମଜା ନେଇଥାନ୍ତି ।
ଥାଇଲ୍ୟାଣ୍ଡରେ ଦୀପାବଳି ଉତ୍ସବ (Diwali in Thailland):-
ଥାଇଲ୍ୟାଣ୍ଡରେ ଏକ ନିଆରା ଢଙ୍ଗରେ ଦୀପାବଳି ଉତ୍ସବକୁ ପାଳନ କରାଯାଏ । ଏହି ଦିନ ଥାଇଲ୍ୟାଣ୍ଡ ବାସୀ କଦଳୀ ପତ୍ରରେ ତିଆରି ଦୀପ ଓ ଧୂପ ରାତିରେ ଜାଳି ଧାର୍ମିକ ଚେତନାକୁ ଜାଗ୍ରତ କରିଥାନ୍ତି । ଏହାସହିତ ପୂଜାପାଠ ମଧ୍ୟ କରିଥାନ୍ତି । ଏହି ଦୀପକୁ ସେମାନେ ନଦୀରେ ଭସାଇଦେଇଥିବା ଦେଖିବାକୁ ମିଳିଥାଏ ।
ନେପାଳରେ ଦୀପାବଳି (Diwali in Nepal):-
ଦୀପାବଳିକୁ ପଡ଼ୋଶୀ ଦେଶ ନେପାଳରେ ପାଳନ କରାଯାଏ । ଏଠାରେ ଶ୍ବାନ (କୁକୁର)ଙ୍କୁ ପୂଜା କରାଯାଏ । ହିନ୍ଦୁ ସମ୍ପ୍ରଦାୟର ଲୋକେ ୫ ଦିନ ଏହି ପର୍ବକୁ ପାଳନ କରୁଥିବା ବେଳେ ଗୋଟିଏ ଦିନ ଜୀବଜନ୍ତୁଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ଲୋକ ଏହି ଅବସରରେ କାଉ ଓ ଗୋମାତାଙ୍କ ପୂଜା କରିଥାନ୍ତି । ନେପାଳରେ ଏହି ପର୍ବ ପାଳନ କରିବାର ଏକ ବିଶେଷ ଉଦ୍ଦେଶ୍ୟ ରହିଛି । ପୃଥିବୀପୃଷ୍ଠରେ ରହୁଥିବା ପ୍ରତ୍ୟେକ ଜୀବଜନ୍ତୁଙ୍କ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ପରସ୍ପର ସହିତ ସମ୍ପର୍କ ରହିଥାଏ । ସଭ୍ୟତାର ପ୍ରାରମ୍ଭରେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ବନ୍ଧୁତ୍ବକୁ ଜାରି ରଖିବା ଲାଗି ଏହି ପର୍ବ ପାଳନ କରାଯାଏ ।
ସିଙ୍ଗାପୁରରେ ଦୀପାବଳି (Diwali in Singapore):-
ସିଙ୍ଗାପୁରରେ ଅନେକ ଦେଶର ଲୋକ ମିଳିମିଶି ଦୀପାବଳି ପର୍ବକୁ ପାଳନ କରିଥାନ୍ତି । ଏହି ଅବସରରେ ଏଠାରେ ମଧ୍ୟ ପାରମ୍ପରିକ ରଙ୍ଗୋଲି ଡିଜାଇନ ତିଆରି କରାଯାଉଥିବା ବେଳେ ଏହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ । ଦୀପାବଳି ଉତ୍ସବ ପାଳନ ବେଳେ ସିଙ୍ଗାପୁର ଏପରି ସଜେଇ ହୋଇଥାଏ ଯେ ଏହା ଭାରତର ଭ୍ରମ ସୃଷ୍ଟି କରେ । ଏଠାରେ ମଧ୍ୟ ଲୋକେ ସ୍ବାଦିଷ୍ଟ ଭୋଜନ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇଥାନ୍ତି ।
ଆମେରିକାରେ ଦୀପାବଳି ପର୍ବ (Diwali in USA):-
ଆମେରିକାରେ ଅଧିକାଂଶ ଭାରତୀୟ ବସବାସ କରନ୍ତି । ଏଠାରେ ପ୍ରବାସୀ ଭାରତୀୟ ଦୀପାବଳିକୁ ଅତି ଆଡ଼ମ୍ବରର ସହିତ ପାଳନ କରିଥାନ୍ତି । ଅନେକ ବର୍ଷରୁ ଏଠାକାର ରାଷ୍ଟ୍ରପତି ମଧ୍ୟ ଦୀପାବଳି ପର୍ବ ପ୍ରତି ନିଜର ଶ୍ରଦ୍ଧାଭାବର ପରିପ୍ରକାଶ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଜୋ ବାଇଡେନ ହ୍ବାଇଟ ହାଉସ (White House) ଅକ୍ଟୋବର ୨୪ ତାରିଖରେ ଦୀପାବଳି ପର୍ବକୁ ପାଳନ କରିବା ନେଇ ଘୋଷଣା କରିଛନ୍ତି । ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅକ୍ଟୋବର ୨୧ ତାରିଖରେ ନିଜ ମାର-ଏ-ଲାଗୋ ରିଜର୍ଟରେ ଏହି ପର୍ବ ପାଳନ କରିବା ପାଇଁ ଯୋଜନା କରିଛନ୍ତି । ରାଷ୍ଟ୍ରପତି ବାଇଡେନ ଭାରତୀୟ ଆମେରିକୀୟ ପ୍ରତିଷ୍ଠିତ ସଦସ୍ୟ ଓ ନିଜ ପ୍ରଶାସନିକ ଅଧିକାରୀଙ୍କ ସହିତ ଏହି ପର୍ବ ପାଳନ କରିବେ ।
କାନାଡ଼ାରେ ଦିୱାଲି ମହୋତ୍ସବ (Diwali in Canada) :-
କାନାଡ଼ାର ନ୍ୟୁଫାଉଣ୍ଡ ଲ୍ୟାଣ୍ଡର ନଭେମ୍ବର ୫ ତାରିଖରେ ଦୀପାବଳି ଭଳି ଏକ ଉତ୍ସବର ପାଳନ କରାଯାଏ । ଏଠାରେ ଆତସବାଜିର ଏକ ବିଶେଷ କାରଣ ରହିଛି । କୁହାଯାଏ ଯେ ବ୍ରିଟିଶ ଓ ଆୟାରିଶର ଲୋକେ ଉତ୍ତମ ଜୀବନ ସନ୍ଧାନରେ କାନାଡ଼ାକୁ ଆସିଥିଲେ । ଏହି କାରଣରୁ ଏଠାରେ କାନାଡାର ଉତ୍ପତ୍ତି ହୋଇଥିଲା । ଏହି ଉତ୍ସବ ଅବସରରେ ବନଫାୟାର ସହିତ ମଉଜ କରନ୍ତି । ସବୁଠୁ ଖାସ କଥା ହେଉଛି ଦୀପାବଳି ପର୍ବ ପାଇଁ ଆମ ଦେଶରେ ଲୋକେ ନିଜ ଘରକୁ ଏକ ଭିନ୍ନ ଶୈଳୀରେ ରଙ୍ଗାୟିତ କରନ୍ତି । ତେବେ ସେଠାରେ ମଧ୍ୟ ଭାରତୀୟଙ୍କ ଏହି କାର୍ଯ୍ୟକୁ ଅନୁସରଣ କରି ସେଠାରେ ଦୀପାବଳି ଉପଲକ୍ଷେ ଘରକୁ ରଙ୍ଗ କରିଥାନ୍ତି ।