ମୁମ୍ବାଇ: ଗିରଫ ହେଲେ ଆଶାରାମ ବାପୁ ଆଶ୍ରମର ନିର୍ଦ୍ଦେଶକ । ଗୁଜୁରାଟ ପୋଲିସ ଆଶ୍ରମ ନିର୍ଦ୍ଦେଶକ ସଞ୍ଜୟ କିଶାନ କିଶୋର ବୈଦ୍ୟଙ୍କୁ ନାଶିକସ୍ଥିତ ଗଙ୍ଗାପୁର ରୋଡରୁ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଅହମ୍ମଦାବାଦଠାରେ ମାରପିଟ୍ ଅଭିଯୋଗ ଥିଲା । ଏହି ମାମଲାରେ ସଞ୍ଜୟ ଦୀର୍ଘ ୧୨ ବର୍ଷ ହେଲା ଫେରାର ଥିଲେ ।
ଇତିମଧ୍ୟରେ ପଞ୍ଚବଟୀ ପୋଲିସ ଷ୍ଟେସନରେ ବୈଦ୍ୟଙ୍କ ଅପହରଣ ନେଇ ଏକ ମାମଲା ରୁଜୁ ହୋଇଥିଲା । କାରଣ ସ୍ଥାନୀୟ ପୋଲିସ ଏହା ଜାଣିନଥିଲେ କି, ଗୁଜୁରାଟ ପୋଲିସ ବୈଦ୍ୟଙ୍କୁ ଗିରଫ କରିଛି । ଆଶାରାମ ବାପୁ ଆଶ୍ରମର ରାଜେଶ ଡାବର ନାମକ ଜଣେ ସଦସ୍ୟ ଏହି ମାମଲା ଦାୟର କରିଥିଲେ । ଅଧରାତିରେ ମାମଲା ରୁଜୁ ହେବା ପରେ ଶୁକ୍ରବାର ସକାଳେ ଗୁଜୁରାଟ ପୋଲିସକୁ ଏ ସମ୍ପର୍କରେ ଖବର ମିଳିଥିଲା ।
କହିରଖୁଛୁ କି, ବହୁ ବର୍ଷ ଧରି ଗଙ୍ଗାପୁର ରୋଡସ୍ଥିତ ଆଶାରାମ ବାପୁ ଆଶ୍ରମରେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ ସଞ୍ଜୟ ବୈଦ୍ୟ । ଗୁରୁବାର ଦିନ ତାଙ୍କୁ ନାଶିକରୁ ଗିରଫ କରାଯାଇଛି । ଗତ ୧୨ ବର୍ଷ ହେଲା ଏକ ଅପରାଧିକ ମାମଲାରେ ଗୁଜୁରାଟ ପୋଲିସ ତାଙ୍କୁ ଖୋଜୁଥିଲା ।
ଗୁରୁବାର ଦିନ ବୈଦ୍ୟ ଗାଈ ପାଇଁ ଚାରା କିଣିବାକୁ ପଞ୍ଚବଟୀ ଯାଇଥିଲେ । ସେହିଠାରୁ ହିଁ ପୋଲିସ ତାଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ