କୋଭିଡ-୧୯ ଚିକିତ୍ସା ଚାଲିଥିବା ବେଳେ ଓ ସୁସ୍ଥ ହେଲା ପରେ ରୋଗୀର ଆହାର ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜ୍ୱର, ଦୁର୍ବଳତା ଓ ସ୍ୱାଦ, ଗନ୍ଧ ହରାଇଥିବା କୋଭିଡ ରୋଗୀଙ୍କୁ କିଛି ଖାଇବା ପାଇଁ ହୁଏ ତ ଭଲ ଲାଗି ନ ପାରେ । କିନ୍ତୁ ବିଭିନ୍ନ ଖାଦ୍ୟ ଓ ଫ୍ଲୁଏଡ୍ ଜରିଆରେ ରୋଗୀଙ୍କୁ ସଠିକ ପୋଷଣ ଦିଆଯିବା ଜରୁରୀ । କୋଭିଡ ରୋଗୀଙ୍କ ପାଇଁ ଡାଏଟାରୀ ଟିପ୍ସ ସଂପର୍କରେ ଆମ ସହ ଆଲୋଚନା କରିଛନ୍ତି ବିଶେଷଜ୍ଞ ଡକ୍ଟର ପି.ଭି ରଙ୍ଗାନାୟକଲୁ ।
ଔଷଧ ଓ ଚିକିତ୍ସା ସହ ଆହାର ମଧ୍ୟ କୋଭିଡ-୧୯ ପାଇଁ ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସା ସମୟରେ ଓ ସୁସ୍ଥ ହେଲା ପରେ ରୋଗୀଙ୍କୁ ଉପଯୁକ୍ତ ଆହାର ଦିଆଯିବା ଦରକାର । ସ୍ୱାସ୍ଥ୍ୟକର ଖାଦ୍ୟ ଓ କିଛି ଖାଦ୍ୟ ବାଦ୍ ଦେଲେ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରେ । ଏହାଛଡା ଭଲ ପରିମାଣରେ ପୋଷକ ଓ ସଠିକ ହାଇଡ୍ରେସନ ମଧ୍ୟ ରୋଗୀ ପାଇଁ ଜରୁରୀ । ରୋଗର ମୁକାବିଲା ପାଇଁ ଆମ ଶରୀରକୁ ପ୍ରତିରୋଧକ ଶକ୍ତି ଦରକାର ପଡୁଥିବା ବେଳେ ସ୍ୱାସ୍ଥ୍ୟକର ଓ ପୋଷଣ ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ ।
ଆମ ବିଶେଷଜ୍ଞଙ୍କ ମତରେ ଜ୍ୱର ଭଳି କୋଭିଡ-୧୯ ଦ୍ୱାରା ମଧ୍ୟ ଆକ୍ରାନ୍ତର ଭୋକ ପ୍ରଭାବିତ ହୋଇଥାଏ । କୋଭିଡ ରୋଗୀମାନେ କିଛି ଖାଇବା ପାଇଁ ଇଚ୍ଛା କରି ନ ଥାଆନ୍ତି । ତେଣୁ ଭିଟାମିନ ଓ ମିନେରାଲ ସେମାନଙ୍କୁ ତରଳ ପଦାର୍ଥ ଆକାରରେ ଦିଆଯାଏ । ଭାଇରସ ସହ ଲଢେଇରେ ଭିଟାମିନ ସି,ଡି ଓ ଜିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଚିକିତ୍ସା ବେଳେ ଡାକ୍ତରମାନେ ସାଧାରଣତଃ ଏସବୁ ଭିଟାମିନ ସପ୍ଲିମେଂଟ ସୁପାରିଶ କରିଥାଆନ୍ତି । କିନ୍ତୁ କିଛି ପ୍ରାକୃତିକ ଖାଦ୍ୟ ଉତ୍ସ ବି ରହିଛି , ଯେଉଁଥିରେ କି ଏସବୁ ମାଇକ୍ରୋନ୍ୟୁଟ୍ରିଏଂଟସ ମିଳେ ।
କୋଭିଡ-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆହାର ଆମର ବିଶେଷଜ୍ଞ ଆଗରୁ କହିସାରିଛନ୍ତି ଯେ, କୋଭିଡ-୧୯ରେ ସଂକ୍ରମିତ ହେଲେ ବ୍ୟକ୍ତିର ଭୋକ କମିଯାଏ । ତେଣୁ ଲିକ୍ୟୁଡ୍ ଡାଏଟ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଏହାଛଡା ରୋଗୀକୁ ହାଲୁକା ଓ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ , ଯେପରିକି ଖେଚୁଡି, ରୁଟି/ଚପାତି, ଲାଉ, କୁନ୍ଦୁରି , ହରଡ ଡାଲି, ମୁଗ ଡାଲି ରୋଗୀଙ୍କୁ ଖାଇବାକୁ ଦିଆଯାଇପାରେ । ଆପଣଙ୍କ ସ୍ଥିତି ଅନୁସାରେ ଆପଣଙ୍କୁ କିଭଳି ଆହାର ଦରକାର, ସେ ବାବଦରେ ଡାକ୍ତର ବା ଡାଏସିଆନଙ୍କ ସହ ପରାମର୍ଶ କରିପାରିବେ । ତାଜା ରନ୍ଧା ଖାଦ୍ୟ ହିଁ ଖାଇବା ଜରୁରୀ । ବାସୀ ଖାଦ୍ୟ ଓ ବଳକି ଥିବା ଖାଦ୍ୟରୁ ସଂପୂର୍ଣ୍ଣ ଦୂରେଇ ରହିବା ଦରକାର ।
କଂଚା ପନିପରିବା ଓ ମିଠା ନ ଖାଇବାକୁ ମଧ୍ୟ ଆମର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଚାହିଁଲେ ସୀମିତ ପରିମାଣର ମିଠା ଖିଆଯାଇପାରେ । କୋଭିଡରୁ ସୁସ୍ଥ ହେଲା ପରେ ଆହାର ( ୧୪ ଦିନ ପରେ ) ଡକ୍ଟର ରଙ୍ଗାନାୟକଲୁ କହନ୍ତି ଯେ, ୧୪ ଦିନିଆ ଆଇସୋଲେସନ ପିରିୟଡ ଶେଷ ହେଲା ପରେ ରୋଗୀର ଭୋକ ବଢେ । ତେଣୁ ସେହି ବ୍ୟକ୍ତି ଅଧିକ ଖାଇବା ପାଇଁ ଇଚ୍ଛା କରିପାରନ୍ତି । ଏକ ସପ୍ତାହ ବା ୧୦ ଦିନ ଧରି ଏଭଳି ଚାଲେ । ତେବେ, ରୋଗୀ ପ୍ରୋଟିନ ସମୃଦ୍ଧ ଖାଦ୍ୟ ଯେପରି ଗ୍ରହଣ କରନ୍ତି, ତାହା ନିଶ୍ଚିତ କରିବାକୁ ପଡିବ ।
ପ୍ରୋଟିନ ରିଚ୍ ଡାଏଟ ପାଇଁ ଶାକାହାରୀଙ୍କୁ ଦୁଗ୍ଧ ଓ ପନିର ବା ଛେନା ଭଳି ଦୁଗ୍ଧଜାତ ସାମଗ୍ରୀ, ଛତୁ, ବାଦାମ ଓ ସୋୟା ଖାଇବାକୁ ହେବ । ମାଂସାହାରୀମାନେ ଅଣ୍ଡା, ମାଂସ, ଚିକେନ ଆଦି ଖାଇପାରିବେ । କୋଭିଡ ରୋଗୀଙ୍କ ପାଇଁ ପ୍ରୋଟିନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଏହା ଫୁସଫୁସ ଟିସୁର ଶୀଘ୍ର ସୁସ୍ଥତାରେ ସହାୟକ ହୁଏ । ପ୍ରୋଟିନ ବିନା ଶୀଘ୍ର ଆରୋଗ୍ୟ ଅସମ୍ଭବ । ଆଉ କିଛି ଜାଣିବା କଥା କୋଭିଡରୁ ସୁସ୍ଥ ହେଲା ପରେ ଅନେକ ଲୋକ ଦୁର୍ବଳତା ନେଇ ଅଭିଯୋଗ କରନ୍ତି । ତେଣୁ ଆମର ବିଶେଷଜ୍ଞ କହନ୍ତି ଯେ, ଦୁର୍ବଳତା ଅନୁଭବ କରୁଥିବା ଲୋକଙ୍କୁ ସଠିକ ଡାଏଟ୍ର ଆବଶ୍ୟକତା ରହିଛି । ଶାରୀରିକ ଭାବେ ନିଜକୁ ଅଧିକ କଷ୍ଟ ନ ଦେବା ଆବଶ୍ୟକ । ଏହା ସମସ୍ତେ ମନେ ରଖିବା ଦରକାର ।
କୋଭିଡରୁ ସୁସ୍ଥ ହେଲା ପରେ କେବଳ ଲଘୁ ବା ହାଲୁକା ବ୍ୟାୟାମ କରିବା ଦରକାର । ବ୍ରିଥିଂ ଏକ୍ସରସାଇଜ୍ ବି ଅଭ୍ୟାସ କରିବା ଜରୁରୀ । ସୁସ୍ଥ ହୋଇଥିବା ରୋଗୀ ପ୍ରଚୁର ପରିମାଣରେ ଋତୁକାଳୀନ ପନିପରିବା ଓ ଫଳ ଖାଇବା ଜରୁରୀ । ଫ୍ରୋଜେନ୍ ଖାଦ୍ୟ,ଟ୍ରାନ୍ସ ଫ୍ୟାଟ୍ ରହିଥିବା ଖାଦ୍ୟ ଓ ଉଚ୍ଚ ଶର୍କରା ଓ ଲବଣ ଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁୁପାରିଶ ଅନୁସାରେ ବୟସ୍କଙ୍କ ପାଇଁ ଯଦି ମିଠା ଖାଇବା ଆବଶ୍ୟକ,ତାହା ହେଲେ ତାଜା ଫଳକୁ ହିଁ ପ୍ରାଥମିକତା ଦେବା ଦରକାର । ପ୍ରଚୁର ଫାଇବର ଖାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ତାହା ଆମର ପାଚନ ବ୍ୟବସ୍ଥାକୁ ସୁସ୍ଥ ରଖେ । ଫାଇବର ପାଇବାକୁ ହେଲେ ପନିପରିବା, ଫଳ, ଡାଲି, ଚଣା ଆଦି ଖାଇବାକୁ ପଡିବ । ଓଟ୍ସ, ବ୍ରାଉନ ପାସ୍ତା, କ୍ୱିନୋଆ, ହୋଲ୍ ହ୍ୱାଇଟ୍ ବ୍ରେଡ୍, ଓ ରାପ୍ ଉପରେ ନିର୍ଭରଶୀଳ ହେବାକୁ ପଡିବ । ଗରିଷ୍ଠ ଖାଦ୍ୟ ସମେତ ଦିନସାରା ପ୍ରଚୁର ପାଣି ପିଇବାକୁ ପଡିବ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଓ ଏଥିରୁ ସୁସ୍ଥତା ଲାଭ କଲା ପରେ ପ୍ରଚୁର ପାଣି ପିଇବା ଜାରି ରଖିବାକୁ ହେବ । ମିଠା ପାନୀୟ ପରିବର୍ତ୍ତେ ପଇଡ ପାଣିର ବ୍ୟବହାର ଲାଭଦାୟକ । ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଆହାର ସହ ସଠିକ ହାଇଡ୍ରେସନ କୋଭିଡ-୧୯ ଚିକିତ୍ସା ଓ ସୁସ୍ଥତା ପରବର୍ତ୍ତୀ ସ୍ଥିତି ପାଇଁ ବେଶ୍ ଉପାଦେୟ ।