ଡେରାଡୁନ: ଉତ୍ତରାଖଣ୍ଡରେ ବିଦ୍ୟୁତ୍ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଉତ୍ତରାଖଣ୍ଡ ସରକାର ଓଡିଶାରେ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାର ନିଷ୍ପତ୍ତି ନେଇଛନ୍ତି । ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରସ୍ତାବିତ ବିଜୁଳି ପ୍ରକଳ୍ପ THDC ସହଯୋଗରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପରିଚାଳିତ ହେବା ନେଇ ସୂଚନା ମିଳିଛି ।
ଉତ୍ତରାଖଣ୍ଡରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେବା ସହ ଆବଶ୍ୟକ ପରିମାଣର ବିଜୁଳି ଉତ୍ପାଦନର ମାଧ୍ୟମ ନଥିବାରୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସମ୍ଭବପର ହୋଇପାରୁନାହିଁ । ତେଣୁ ରାଜ୍ୟରେ ଏବେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ରାଜ୍ୟବାସୀ ବିଦ୍ୟୁତ୍ କାଟ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ, ସରକାରୀ ନିୟନ୍ତ୍ରଣାଧୀନ ପ୍ରକଳ୍ପ ନଥିବାରୁ ଖୋଲା ବଜାରରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ହେତୁ ବିଦ୍ୟୁତ୍ କ୍ରୟକୁ ନେଇ ରାଜ୍ୟ ସରକାର ମଧ୍ୟ ଅନେକ ଆର୍ଥିକ ଚାପରେ ଅଛନ୍ତି ।
ଏହାର ମୁଖ୍ୟ କାରଣ ହେଉଛି ଉତ୍ତରାଖଣ୍ଡର କାର୍ଯ୍ୟକ୍ଷମ ସମସ୍ତ ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ ବିଦ୍ୟୁତ୍ ଉତ୍ପାଦନ ସମ୍ପର୍କିତ ଅସ୍ଥିରତା ଏବଂ ନୂତନ ପ୍ରକଳ୍ପ ଆରମ୍ଭ କରାଯାଇ ନପାରିବା । ଉତ୍ତରାଖଣ୍ଡର ଭୌଗଳିକ ସ୍ଥିତି ଓ ଭିତ୍ତିଭୂମି ଅଭାବ କାରଣ ପାଇଁ ନୂଆ ପ୍ରକଳ୍ପ ମଧ୍ୟ ପ୍ରତିଷ୍ଠା କରିବା ଏତେ ସହଜ ହେଉନାହିଁ । ଯଦିଓ ଅତୀତରେ କେନ୍ଦ୍ରରୁ ସବସିଡିଯୁକ୍ତ ବିଦ୍ୟୁତ୍ ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲା, କିନ୍ତୁ ଭବିଷ୍ୟତରେ ବିଦ୍ୟୁତ୍ ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏବେ ନିଜେ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛନ୍ତି ।
ଓଡିଶାରେ ଏହି ପ୍ରକଳ୍ପର ପ୍ରତିଷ୍ଠା ହେବାର ପ୍ରକ୍ରିୟା ଅନୁସାରେ ରାଜ୍ୟ ସରକାର ଖୁବଶୀଘ୍ର THDC ସହିତ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିବାକୁ ଯାଉଛନ୍ତି । ତେବେ ଓଡ଼ିଶାରେ ଏହି ପ୍ରସ୍ତାବିତ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ଚିନ୍ତା କରାଯିବା ନେଇ ମଧ୍ୟ ଏକ ପ୍ରମୁଖ କାରଣ ରହିଛି । ତାପଜ ବିଦ୍ୟୁତ ପ୍ରକଳ୍ପ ମୁଖ୍ଯତଃ କୋଇଲା ଉପରେ ନିର୍ଭର କରିଥାଏ । ତେଣୁ କୋଇଲାର ସହଜ ଉପଲବ୍ଧତା ଦୃଷ୍ଟିରୁ ଉତ୍ତରାଖଣ୍ଡ ସରକାର ଓଡ଼ିଶାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଉତ୍ତରାଖଣ୍ଡ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର THDC ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ପରେ ପ୍ରକଳ୍ପ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ । ଅନ୍ୟପଟେ THDC ମଧ୍ୟ ଓଡ଼ିଶାରେ କୋଇଲା ପ୍ରକଳ୍ପ ପାଇଁ ଅନୁମୋଦନ ନେଇସାରିଛି । ନିର୍ଦ୍ଦିଷ୍ଟ ଭାବେ ଓଡିଶାର କେଉଁ ଜିଲ୍ଲାରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ