ଶ୍ରୀନଗର: ଜମ୍ମୁ ବସଷ୍ଟାଣ୍ଡରୁ ବିପୁଳ ଆରଡିଏକ୍ସ ଜବତ ଘଟଣାରେ ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଆତଙ୍କବାଦୀ ଏକ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିଲେ । ରଘୁନାଥ ମନ୍ଦିର ଏବଂ ବସଷ୍ଟାଣ୍ଡ ଟାର୍ଗେଟରେ ଥିଲା ବୋଲି ଡିଜିପି କହିଛନ୍ତି ।
ଗତକାଲି ରାତିରେ ଜମ୍ମୁରେ ପୋଲିସ ବସଷ୍ଟାଣ୍ଡ ଅଞ୍ଚଳରୁ ସୁହେଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତାଙ୍କ ବ୍ୟାଗରୁ 6.5 କିଲୋଗ୍ରାମ RDX ଉଦ୍ଧାର କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ବାହିନୀଙ୍କୁ ମିଳିଥିବା ସଫଳତା ବିଷୟରେ ସୂଚନା ଦେଇ ଦିଲବାଗ ସିଂ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଅଲ ବଦ୍ରଙ୍କ ନିର୍ଦ୍ଦେଶରେ ସୁହେଲ କାର୍ଯ୍ୟ କରୁଛି । ରଘୁନାଥ ମନ୍ଦିର ଏବଂ ବସ ଷ୍ଟାଣ୍ଡରେ ବିସ୍ଫୋରଣ କରିବାର ଥିଲା । ଯଦି ଏହା ସଫଳ ହୋଇଥାନ୍ତା, ତେବେ ଏକ ବଡ଼ ବିପର୍ଯ୍ୟୟ ହୋଇଥାନ୍ତା ବୋଲି ଡିଜିପି କହିଛନ୍ତି । ସୁହେଲକୁ ପଚରାଉଚରା କରିବା ପରେ ପୋଲିସ କାଜି ୱାସିମ ଏବଂ ଆବିଦ୍ ନାମକ ଦୁଇ ଜଣଙ୍କୁ ଚଣ୍ଡିଗଡ଼ରୁ ଗିରଫ କରିଥିଲା । ଆରଡିଏକ୍ସ ସହିତ ଧରାଯାଇଥିବା ସୁହେଲ ଚଣ୍ଡିଗଡ଼ରେ ପଢୁଥିଲେ ।
ଜମ୍ମୁର ଆଇଜି ମୁକେଶ ସିଂ କହିଛନ୍ତି, ‘‘ବିସ୍ଫୋରଣ ପରେ ସୁହେଲ କାଶ୍ମୀର ଯିବାର ଥିଲା । ସେ କହିଥିଲେ ଯେ, ସେ ଚଣ୍ଡିଗଡ଼ର ନର୍ସିଂ କଲେଜର ଛାତ୍ର । ତାଙ୍କୁ ପାକିସ୍ତାନର ଅଲ-ବଦର ତାଞ୍ଜୀମରୁ IED ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।’’
ମୁକେଶ ସିଂ କହିଛନ୍ତି, ‘‘ତାଙ୍କୁ 3-4 ଟି ସ୍ଥାନରେ IED ରଖିବାକୁ କୁହାଯାଇଥିଲା, ଯେଉଁଥିରେ ରଘୁନାଥ ମନ୍ଦିର, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ଲଖଦାତା ବଜାର ଅନ୍ତର୍ଭୁକ୍ତ ଥିଲା । ଏହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ସ୍ଥାନରେ ତାଙ୍କୁ IED ରଖିବାର ଥିଲା । ଏଥିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥାନ୍ତା । ଯାହା ଜମ୍ମୁ ପୋଲିସ ଦ୍ବାରା ବିଫଳ ହୋଇଛି । ଏହା ସହିତ ସେ କହିଛନ୍ତି ଯେ, ଗତକାଲି ରାତିରେ ଆମେ ସାମ୍ବା ଠାରୁ 15 ଟି ଛୋଟ IED ଏବଂ 6 ଟି ପିସ୍ତଲ ମଧ୍ୟ ଉଦ୍ଧାର କରିଛୁ ।