ଶ୍ରୀନଗର: ଜମ୍ମୁକାଶ୍ମୀର ଗସ୍ତରେ ଥିବା 24 ଜଣିଆ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ପରିଦର୍ଶନ କରି ଏଠାରେ ସ୍ଥିତି ସମୀକ୍ଷା କରିଛନ୍ତି । ଘାଟିର ବିଭିନ୍ନ ଅଞ୍ଚଳ ବୁଲିବା ପରେ ପ୍ରତିନିଧିମଣ୍ଡଳ ସଦସ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବିଦେଶୀ ପ୍ରତିନିଧିମଣ୍ଡଳରେ ସାମିଲ ବୋଲିଭିଆ ରାଷ୍ଟ୍ରଦୂତ ଜୁଆନ ଜୋଶ କୋର୍ଟେଜ ରୋଜାସ କହିଛନ୍ତି, ଆମେ ଯାହା ହୃଦୟଙ୍ଗମ କରୁଛୁ ତାହା ହେଉଛି ଏଠାରେ ଥିବା ଗଣତନ୍ତ୍ର । ଏହା ପ୍ରଭାବଶାଳୀ ଅଟେ । କେନ୍ଦ୍ର ସରକାର ନେଇଥିବା ରାଜନୈତିକ ନିଷ୍ପତ୍ତିରେ ଏଠାକାର ଲୋକମାନେ ଖୁସି ଅଛନ୍ତି ବୋଲି କହିଛନ୍ତି ଜୁଆନ ଜୋଶ ।
ସେପଟେ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ DDC ନିର୍ବାଚନ ବିଷୟରେ ଅବଗତ କରାଯାଇଥିଲା । ସେମାନେ ଘାଟିର ବାସ୍ତବତା ଜାଣିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଶ୍ରୀନଗର ମେୟର ଜୁନେଦ ମଟ୍ଟୁ ।
ଶ୍ରୀନଗର ମେୟର କହିଛନ୍ତି, ଆଲୋଚନା ହୋଇଥିବା ମୁଖ୍ୟ ପ୍ରସଙ୍ଗ ହେଉଛି ଶକ୍ତି ଏବଂ ଯୋଜନାକୁ ବିକେନ୍ଦ୍ରୀକରଣ, ତୃଣମୂଳ ସ୍ତରର ପ୍ରତିନିଧିଙ୍କ ସଶକ୍ତିକରଣ | ବର୍ତ୍ତମାନ ଘଟୁଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ତୃଣମୂଳ ସ୍ତରରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସଶକ୍ତିକରଣ ବୋଲି କହିଛନ୍ତି ମେୟର ।