ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ କମିବାରୁ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ସୋମବାର ଅର୍ଥାତ ଜୁନ 21 ତାରିଖ ଠାରୁ ଅନଲକ-4 ଲାଗୁ ହେବାକୁ ଯାଉଛି ।
ଏହି କୋହଳରେ ସମସ୍ତ ମାର୍କେଟ କମ୍ପ୍ଲେକ୍ସ ଏବଂ ମଲ ସକାଳ 10 ଟାରୁ ରାତି 8 ପର୍ଯ୍ୟନ୍ତ ଖୋଲା ରହିବ । ରେଷ୍ଟୁରାଣ୍ଟ ସକାଳ 8 ଟାରୁ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହିବ ହେଲେ ଏହା 50 ପ୍ରତିଶତ କ୍ଷମତା ବିଶିଷ୍ଟ ରହିବ । ଏଥିସହିତ ସମସ୍ତ ବାର ଦ୍ବିପହର 12ଟା ଠାରୁ ରାତି 10 ପର୍ଯ୍ୟନ୍ତ 50 ପ୍ରତିଶତ କ୍ଷମତାକୁ ନେଇ ଖୋଲାଯିବ ।
ଏହି ଅନଲକରେ ମେଟ୍ରୋ ମଧ୍ୟ ଚଳାଚଳ କରିବ । କିନ୍ତୁ, ଏଥିରେ ମାତ୍ର 50 ପ୍ରତିଶତ ଯାତ୍ରୀ ଯାତାୟତ କରିପାରିବେ । ବସ, ଅଟୋ, ଇ-ରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ ମଧ୍ୟ କ୍ଷମତା ଠାରୁ କମ ସଂଖ୍ୟାରେ ଯାତ୍ରୀ ବସି ପାରିବେ । ଏଥିସହିତ ଧାର୍ମିକ ସ୍ଥଳ ମଧ୍ୟ ଖୋଲାଯିବ କିନ୍ତୁ, ସେଠାକୁ ସାଧାରଣ ଲୋକଙ୍କୁ ଯିବାକୁ ମନା କରାଯାଇଛି ।
ଏହି ଅନଲକରେ ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର ଏବଂ ଟ୍ରେନିଂ ସେଣ୍ଟର ଆଦି ବନ୍ଦ ରହିବ । ସାମାଜିକ, ରାଜନୀତିକ, ଧାର୍ମିକ, ସାଂସ୍କୃତିକ ଭିଡ ଉପରେ ରୋକ ଲଗାଯାଇଛି । ସ୍ବିମିଙ୍ଗ ପୁଲ, ସ୍ପୋର୍ଟସ କମ୍ପେକ୍ସ ଏବଂ ଷ୍ଟାଡିୟମ ବନ୍ଦ ରହିବ । ପରନ୍ତୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଖେଳରେ ଭାଗ ନେଉଥିବା ଖେଳାଳି ଉକ୍ତ ସ୍ଥାନକୁ ଯାଇ ପାରିବେ ।
ସିନେମା, ମଲ୍ଟିପ୍ଲେକ୍ସ, ଅଡିଟୋରିୟମ, ସଭାସ୍ଥଳ, ସ୍ପା, ଜିମ, ଯୋଗ ଇନଷ୍ଟିଚ୍ୟୁଟ ଆଦି ବନ୍ଦ ରହିବ । ସର୍ବସାଧାରଣ ସ୍ଥାନରେ ବିବାହ ହେବ ନାହିଁ । ଘର କିମ୍ବା କୋର୍ଟ ବିବାହ ହିଁ କେବଳ ହୋଇପାରିବ, ଯେଉଁଥିରେ 20 ଜଣ ସାମିଲ ହୋଇପାରିବେ । ଅନ୍ତିମ ସଂସ୍କାରରେ ମଧ୍ୟ ଅଧିକରୁ ଅଧିକ 20 ଜଣ ଲୋକ ଯାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ