ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବାକୁ ଯାଉଛି 76ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ଲାଲକିଲ୍ଲାରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି କାର୍ଯ୍ୟକ୍ରମ ପାଇଁ 10 ହଜାରରୁ ଅଧିକ ପୋଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ହେବେ ।
ସୁରକ୍ଷା ବ୍ୟବସ୍ଥାରେ ଥିବା ଦିଲ୍ଲୀ ପୋଲିସର ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ପ୍ରାୟ 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦାନ କରିବେ । ତେଣୁ ଲାଲକିଲ୍ଲାର 5 କିଲୋମିଟର ଅଞ୍ଚଳକୁ ନୋ-କିଟ୍ ଫ୍ଲାଇଙ୍ଗ୍ ଜୋନ୍ ଭାବରେ ଚିହ୍ନିତ କରାଯାଇଛି । ସେହିପରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ତଥା ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଦ୍ବାରା ଆଣ୍ଟି ଡ୍ରୋନ୍ ସିଷ୍ଟମ ମଧ୍ୟ ବ୍ୟବସ୍ଥିତ କରାଯାଇଛି ।
ଲାଲକିଲ୍ଲା ଏବଂ ଏହାର ଆଖପାଖ ସମ୍ବେଦନଶୀଳ ଅଞ୍ଚଳରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ଲଗାଯାଇଛି । ଏହାର ଫୁଟେଜ୍ ଉପରେ ନଜର ରଖିବା ପାଇଁ ଏକାଧିକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି । ଏଥର ସମାରୋହକୁ ନିମନ୍ତ୍ରିତ ଅତିଥୀ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା 7 ହଜାରକୁ ବୃଦ୍ଧି ପାଇଥିବାରୁ ସେ ଅନୁସାରେ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସମାରୋହର ପ୍ରବେଶ ପଏଣ୍ଟରେ FRS କ୍ୟାମେରା ମଧ୍ୟ ଲଗା ଯାଇଛି । ସେହିପରି ସୁରକ୍ଷା ନିଶ୍ଚିତ କରିବା ପାଇଁ ଲାଲକିଲ୍ଲା ପରିସରରେ ମଧ୍ୟାହ୍ନ ଭୋଜନ ବାକ୍ସ, ପାଣି ବୋତଲ, ସିଗାରେଟ୍ ଲାଇଟର୍, ବ୍ରିଫକେସ୍, ହ୍ୟାଣ୍ଡବ୍ୟାଗ୍, କ୍ୟାମେରା, ବାଇନାକୁଲାର, ଛତା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ