ନୂଆଦିଲ୍ଲୀ: କର୍ତ୍ତବ୍ୟ ବନ୍ଧନରେ ବନ୍ଧା ପୋଲିସ କର୍ମଚାରୀ । ଲୋକଙ୍କୁ ସେବା ଯୋଗାଉଥିବା ଏହି କର୍ମଚାରୀମାନେ ନିଜ କର୍ତ୍ତବ୍ୟ କାରଣରୁ ଅନେକ ଉତ୍ସବ ପରିବାର ସହିତ ପାଳନ କରିପାରିନଥାନ୍ତି । କାରଣ ଉତ୍ସବ ଦିନଗୁଡିକରେ ମଧ୍ୟ ସେମାନଙ୍କର ଡ୍ୟୁଟି ରହିଥାଏ । ତେବେ ଏବେ ଅନେକ ଦିନ ଧରି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ପରିବାର ସହିତ ଜନ୍ମଦିନ ଓ ବିବାହ ବାର୍ଷିକୀ ପାଳନ କରିବା ପାଇଁ ମିଳିବ ଛୁଟି । ଏହି ନିୟମକୁ ଲାଗୁ କରିବା ପାଇଁ ପୋଲିସ କମିଶନର ରାକେଶ ଅସ୍ଥାନା ଦିଲ୍ଲୀ ପୋଲିସର ବିଭିନ୍ନ ୟୁନିଟରେ ଲାଗୁ କରିବା ପାଇଁ କହିଛନ୍ତି ।
ଦିଲ୍ଲୀର ରେଲୱେ ଡିସିପି ହରେନ୍ଦ୍ର ସିଂହ ରେଲୱେ ପୋଲିସ କର୍ମଚାରୀଙ୍କୁ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଛୁଟି ଦେଇଥାନ୍ତି । ଏଭଳି ଖାସ ଦିନରେ କର୍ମଚାରୀମାନେ ସେମାନଙ୍କ ପରିବାର ସହିତ ସମୟ ବିତାନ୍ତୁ ବୋଲି ସେ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ରେଲୱେ ଡିସିପିଙ୍କ ଏହି କାର୍ଯ୍ୟକୁ ପୋଲିସ କମିଶନର ରାକେଶ ପ୍ରଶଂସା କରିବା ପରେ ଦିଲ୍ଲୀ ପୋଲିସ ପାଇଁ ମଧ୍ୟ ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରେଲୱେ ଡିସିପିଙ୍କ ଏହି ନିଆରା କାର୍ଯ୍ୟ ଲାଗି ତାଙ୍କୁ ପ୍ରଶଂସା କରି କମିଶନର ରାକେଶ ଏକ ଚିଠି ତାଙ୍କୁ ପଠାଇଥିଲେ ବୋଲି ଜଣାପଡିଛି ।
ତେବେ ସେ ଚିଠିରେ ଲେଖିଥିଲେ ଯେ ରେଲୱେ ଡିସିପିଙ୍କ ଏହି ପ୍ରୟାସ ଅନେକ ପୋଲିସ କର୍ମଚାରୀଙ୍କୁ ଖୁସି ଓ ଶାନ୍ତି ପ୍ରଦାନ କରିବ । କମିଶନର ରାକେଶ ଏହି ଦାୟିତ୍ବ ତୁଲାଇବା ସମୟରେ ସମସ୍ତ ପୋଲିସ କର୍ମଚାରୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ପୋଲିସ କର୍ମଚାରୀ ଖୁସି ରହିଲେ ଅଧିକ ଭଲ କାମ କରିବେ ବୋଲି ସେ କହିଛନ୍ତି । ଏଥିଲାଗି ଏଭଳି ଖାସ ଦିନରେ ତାଙ୍କ ପରିବାର ସହିତ ଦିବସଟିକୁ ପାଳିଲେ କର୍ମଚାରୀଙ୍କୁ ଖୁସି ମିଳିବ ବୋଲି ସେ ଆଶା କରିଛନ୍ତି ।
ଦିଲ୍ଲୀ ପୋଲିସର ସମସ୍ତ ୟୁନିଟକୁ ଏହି ନୂତନ ନିୟମକୁ ଲାଗୁ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ପୋଲିସ ବିଭାଗରେ ସମସ୍ତ କର୍ମଚାରୀଙ୍କ ତଥ୍ୟ ରହିବ । ପୋଲିସ କର୍ମଚାରୀଙ୍କ ପତ୍ନୀ ଓ ସନ୍ତାନଙ୍କ ଜନ୍ମଦିନର ତିଥିର ତଥ୍ୟ ରଖାଯାଉଛି । ଯାହାଦ୍ବାରା ସେହି ଦିନ ପୋଲିସ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଏଭଳି ନୂତନ ନିୟମ ଲାଗୁ ହେବାକୁ ଯାଉଥିବାରୁ ଅନେକ ପୋଲିସ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ