ନୂଆଦିଲ୍ଲୀ: ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡୁନି ବିବାଦ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ । ଜେଲରେ ମସାଜ କରୁଥିବା ଭିଡିଓ ଭାଇରାଲ ହେବା ପରେ ବିବାଦ ଜୋର ଧରିଥିଲା । ଏହା ପର ଠାରୁ ପୁଣି ଏକ ସିସିଟିଭି ଭିଡିଓ ଭାଇରାଲ ହେଉଛି । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେଲ ଭିତରେ ବୈଠକ କରୁଥିବା ଦେଖାଦେଇଛି(Satyendar Jain Holding Meetings in Tihar Jail) । ଏହି ଭିଡିଓ କେବେକାର ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଏହା ଏବେକାର ଭିଡିଓ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ଭିଡିଓରେ ମନ୍ତ୍ରୀଙ୍କ ସହ ଜେଲ ସୁପରିଟେଣ୍ଡେଣ୍ଟ ବସିଥିବା ଦେଖାଦେଇଛି ।
ଭିଡିଓରେ ଦେଖାଦେଇଛି ଯେ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବୈଠକ ସମୟରେ ଜେଲ ତରଫରୁ ପ୍ଲାଷ୍ଟିକ ଚେୟାର ଯୋଗାଇ ଦିଆଯାଇଛି । ଏହି ସମୟରେ ମନ୍ତ୍ରୀ ମୁଣ୍ଡରେ ହାତ ଦେଇ ଶୋଇକି କଥା ହେଉଥିବା ବେଳେ ତାଙ୍କ ବେଡ ଉପରେ କିଛି ପେପର ରହିଥିବା ନେଇ ମଧ୍ୟ ଦେଖାଦେଇଛି ।
ଏହା ପୂର୍ବରୁ ମନ୍ତ୍ରୀଙ୍କ ଦୁଇଟି ଭିଡିଓ ଭାଇରାଲ ହୋଇଥିଲା
ଏହା ମଧ୍ୟ ପଢନ୍ତୁ: ଜେଲ୍ ଭିତରେ ମସାଜ ନେଉଛନ୍ତି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଦେଖନ୍ତୁ ଭିଡିଓ
ପ୍ରଥମ ଭାଇରାଲ ଭିଡିଓରେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ମିଳୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ଫିଜିଓଥେରାପିଷ୍ଟ ମନ୍ତ୍ରୀଙ୍କୁ ଫିଜିଓଥେରାପି ଦେଉଥିବା ଆପ୍ ପକ୍ଷରୁ କୁହାଯାଇଥିଲା । ହେଲେ ମସାଜ କରୁଥିବା ବ୍ୟକ୍ତି ଜଣକ କୌଣସି ଫିଜିଓଥେରାପିଷ୍ଟ ନୁହେଁ ବରଂ ଜଣେ ଦୁଷ୍କର୍ମକାରୀ ବୋଲି ଜଣାପଡିଥିଲା ।
ଏହା ମଧ୍ୟ ପଢନ୍ତୁ: ଜେଲ୍ରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ, ପୁଣି ଭିଡିଓ ଭାଇରାଲ
ଦ୍ବିତୀୟ ଭିଡିଓରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଜୈନଙ୍କୁ ତିହାର ଜେଲ୍ ଭିତରେ ଉପଯୁକ୍ତ ଖାଦ୍ୟ ମିଳୁଥିବାର ଭିଡିଓରେ ଦେଖାଯାଇଥିଲା(Satyendar Jain getting proper food inside Tihar Jail) । ଆପ୍ ନେତା ସ୍ବାଦିଷ୍ଟ ମିଲ୍ ସାଙ୍ଗକୁ, ସେଓ, କମଳା, କଦଳୀ ଭଳି ଫଳ ଖାଉଥିଲେ । ଏପରିକି ସେଠାରେ ତାଙ୍କ ଶରୀରର ଓଜନ ୮ କେଜି ବଢିଥିବା ଜେଲ୍ ସୂତ୍ରରୁ ସୂଚନା ମିଳିଥିଲା । ଏହାରି ଭିତରେ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ