ନୂଆଦିଲ୍ଲୀ : ଦିଲ୍ଲୀର ଆଇଏନଏ ମାର୍କେଟ ( INA Market)ରେ ଥିବା ବିସ୍ଥାପିତ କାଶ୍ମୀର ପଣ୍ତିତଙ୍କ ଦୋକାନକୁ ମିଳିବ ମାଗଣା ବିଜୁଳି । ଏ ମାଗଣା ବିଜୁଳି ଯୋଗାଇବେ ଦିଲ୍ଲୀ ସରକାର । କାଶ୍ମୀର ପଣ୍ତିତ ମାନଙ୍କୁ ଠାରୁ ଏନେଇ କୌଣସି ପ୍ରକାର ଦେୟ କି ଶୁଳ୍କ କିମ୍ବା ଶୁଳ୍କ ଆଦାୟ କରାଯିବ ନାହିଁ । ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ।
ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Deputy Chief Minister Manish Sisodia) ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ପିଡବ୍ଲୁଡି(PWD ) ଓ (BSES) ବିଏସଇସର କର୍ତ୍ତୃପକ୍ଷ ମଧ୍ୟ ଯୋଗ ଦେଇଥିବା ବେଳେ ବିଧାୟକ ସୌରଭ ଭରଦ୍ବାଜ (Saurabh Bharadwaj ) ମଧ୍ୟ ଉପସ୍ଥିତ ଥିଲେ। ବଜାରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ସ୍ଥିରୀକୃତ ସ୍ଥାନକୁ ତୁରନ୍ତ ଯାଞ୍ଚ କରିବା ସହ ମାସେ ମଧ୍ୟରେ ଦୋକାନ ଗୁଡିକରେ ବିଦ୍ୟୁତ୍ ସଂଯୋଗ ସ୍ଥାପନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Chief Minister Arvind Kejriwal ) ସର୍ବଦା କାଶ୍ମୀର ପଣ୍ଡିତଙ୍କ ସ୍ବାର୍ଥରେ ଛିଡା ହୋଇଛନ୍ତି । କାଶ୍ମୀର ପଣ୍ଡିତଙ୍କୁ ନେଇ ରାଜନୀତି କରିବା ପରିବର୍ତ୍ତେ ଆମ୍ ଆଦମୀ ପାର୍ଟି(Aam Aadmi Party) ସେମାନଙ୍କ ପ୍ରଗତି ଓ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରି ଆସୁଛି। ଗତ କିଛି ଦିନ ତଳେ କାଶ୍ମୀର ପଣ୍ତିତଙ୍କ ଏକ ପ୍ରତିନିଧି ମଣ୍ତଳୀ ଦିଲ୍ଲୀ ମୁଖ୍ୟମନ୍ତୀଙ୍କୁ ଭେଟିଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାପରେ ସେ କାଶ୍ମୀର ପଣ୍ଡିତଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।