ନୂଆଦିଲ୍ଲୀ: ଆଜି ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଅଧ୍ୟକ୍ଷତାରେ ୭ ରାଷ୍ଟ୍ରର NSAଙ୍କୁ ନେଇ ବସିଥିବା ଆଞ୍ଚଳିକ ସୁରକ୍ଷା ବୈଠକ ଶେଷ ହୋଇଛି । ଦିଲ୍ଲୀରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ୭ଟି ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା ସାମିଲ ହୋଇ ବିଭିନ୍ନ ଗିରିତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ତେବେ ଆଫଗାନିସ୍ତାନ ସଙ୍କଟ ଓ ଏହାର ପ୍ରଭାବ ଆଜିର ମୁଖ୍ୟ ପ୍ରସଙ୍ଗ ଭାବେ ଆଲୋଚିତ ହୋଇଛି ।
![NSA ବୈଠକ ଶେଷ: ଆଫଗାନିସ୍ତାନରେ ମାନବାଧିକାର ଓ ସ୍ଥିରତା ଉପରେ ଗୁରୁତ୍ବ](https://etvbharatimages.akamaized.net/etvbharat/prod-images/13595644_tu.jpg)
ଆଜିର ଏହି ବୈଠକରେ ଆଫଗାନିସ୍ତାନ ସଙ୍କଟ ଓ ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା । ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଆତଙ୍କବାଦ ଏବଂ ମାନବିକ ସହାୟତାର ଆବଶ୍ୟକତା ଉପରେ ଚିନ୍ତା ପ୍ରକାଶ ପାଇଛି । ସେହିପରି ସେଠାରେ ମାନବାଧିକାର ସୁରକ୍ଷା ପାଇଁ ମୁକ୍ତ ଶାସନ ପ୍ରତିଷ୍ଠା ଦିଗରେ ଏହି ରାଷ୍ଟ୍ର ସମୂହ ମତ ବିନିମୟ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ସୃଷ୍ଟି ହୋଇଥିବା ହିଂସାତ୍ମକ ସ୍ଥିତି ଓ କୁଣ୍ଡୁଜ, କାନ୍ଦାହାର ଏବଂ କାବୁଲରେ ଲାଗିରହିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଅଂଶଗ୍ରହଣକାରୀ ଦେଶର ପ୍ରତିନିଧି ।
ସେହିପରି କାବୁଲରେ ଏକ ଶାନ୍ତିପୂର୍ଣ୍ଣ, ନିରାପଦ ଏବଂ ସ୍ଥିର ଆଫଗାନିସ୍ତାନ ସରକାର ପାଇଁ ଦୃଢମତ ପ୍ରକାଶ ପାଇଥିବାବେଳେ ଆଫଗାନିସ୍ତାନର ସାର୍ବଭୌମତ୍ବ, ଏକତା, ଆଞ୍ଚଳିକ ଅଖଣ୍ଡତା ଏବଂ ଏହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଉପରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ବିଧ୍ବସ୍ତ ସ୍ଥିତିର ଫାଇଦା ନେଇ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଶ୍ରୟ, ତାଲିମ, ଯୋଜନା କିମ୍ବା ଆର୍ଥିକ ସହାୟତା ପାଇଁ ଆଫଗାନିସ୍ତାନର ଯୁଦ୍ଧଗ୍ରସ୍ତ ଅଞ୍ଚଳ କିପରି ବ୍ୟବହାର ନ କରାଯିବା ତା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ଅଂଶଗ୍ରହଣକାରୀ ଦେଶର ସୁରକ୍ଷା ପରାମର୍ଶଦାତା ମଣ୍ଡଳୀ ।
ଆଫଗାନିସ୍ତାନରେ ସାମାଜିକ-ଅର୍ଥନୈତିକ ଏବଂ ମାନବିକ ପରିସ୍ଥିତି ବିଗିଡିବାରେ ଲାଗିଥିବାବେଳେ ସେଠାକାର ନାଗରିକଙ୍କୁ ତୁରନ୍ତ ମାନବିକ ସହାୟତା ଯୋଗାଇଦେବା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଫଗାନିସ୍ତାନରେ ମିଳିତ ଜାତିସଂଘର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଦେଶରେ ଏହାର ସ୍ଥାୟୀ ଉପସ୍ଥିତି ସଂରକ୍ଷିତ ହେବା ମଧ୍ୟ ଆବଶ୍ୟକ।
ଆଜିର ଏହି ବୈଠକରେ ଭାରତ ଅଧ୍ୟକ୍ଷତା କରିଥିବାବେଳେ ମଧ୍ୟ ଏସିୟ ଦେଶ ତାଜିକିସ୍ତାନ, କିର୍ଗିଜସ୍ଥାନ, କାଜାଖସ୍ତାନ, ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନ, ଇରାନ ଓ ଋଷ ପ୍ରମୁଖ ୭ ଦେଶର ସୁରକ୍ଷା ପରାମର୍ଶଦାତା ଅନୁଷ୍ଠିତ ବୈଠକରେ ଅଂଶଗ୍ରହଣ କରଥିଲେ। ଚୀନ ଓ ପାକିସ୍ତାନ ଏହି ବୈଠକରେ ସାମିଲ ହୋଇନାହାନ୍ତି ।
@ANI