ନୂଆଦିଲ୍ଲୀ: ଜଣେ ଛାତ୍ରଙ୍କୁ ମାଡ ମାରିବା ମାମଲାରେ ଆମ ଆଦମୀ ପାର୍ଟିର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଆଜି ରାଉଜ ଆଭିନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ହେଲେ କୋର୍ଟଙ୍କ ଏହି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଏବେ ସବୁଠି ଚର୍ଚ୍ଚାର କାରଣ ପାଲଟିଛି । କୋର୍ଟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରି 30 ହଜାର ଟଙ୍କାର ଫାଇନରେ ଦଣ୍ଡିତ କରିବା ସହ ସମ୍ପୂର୍ଣ୍ଣ ଗୋଟିଏ ଦିନ କୋର୍ଟ ପରିସରରେ ଛିଡା ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
2020 ମସିହାରେ ଜଣେ ଆଇନ ଛାତ୍ରଙ୍କୁ ବିଧାୟକ ପତି ଆକ୍ରମଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଚଳିତବର୍ଷ ମାର୍ଚ୍ଚରେ ବିଧାୟକ ତ୍ରିପାଠୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ଆଜି ତାହା ପ୍ରକାଶ ପାଇଛି ।କୋର୍ଟ ତାଙ୍କୁ ଅର୍ଥଦଣ୍ଡ ସହ କୋର୍ଟ ପରିସରରେ ଗୋଟିଏ ଦିନ ଛିଡା କରାଇଛନ୍ତି । ମୋଟ ଫାଇନ ପରିମାଣରୁ 6,500 ଟଙ୍କା ବିଧାୟକଙ୍କୁ କୋର୍ଟରେ ଜମା କରିବାକୁ କୁହାଯାଇଥିବା ବେଳେ ଅବଶିଷ୍ଟ 23,500 ପୀଡିତ ଛାତ୍ରକୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ବିଧାୟକଙ୍କୁ ଆଇପିସି ଧାରା-323 ଓ ଏସ-ଏସଟି ଆକ୍ଟରେ ବୁକ କରିଥିଲା ପୋଲିସ ।
2020 ରେ, AAP ବିଧାୟକ ଜଣେ ଆଇନ ଛାତ୍ର ଆକ୍ରମଣ କରିଥିବା ଓ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଛାତ୍ର ଅଭିଯୋଗ ଅନୁସାରେ, ସେ 2020 ଯେ ଫେବୃଆରୀ 7 ତରିଖରେ ଘରକୁ ଯାଉଥିବା ବେଳେ ରାସ୍ତାରେ ବିଧାୟକ ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସେ ଏଥିରେ ଆହତ ହୋଇଥିଲେ । ସେମାନେ ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିଧାୟକ ଅଖିଳେଶ ପତି ତ୍ରିପାଠୀ ମଡେଲ୍ ଟାଉନ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର AAP ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ତେବେ ବିଧାୟକଙ୍କୁ କେବଳ ଆକ୍ରମଣ ଓ ମାଡ ମାରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇପାରିନାହିଁ । ସେ ଛାତ୍ରଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା କୌଣସି ସାକ୍ଷ ପ୍ରମାଣରେ ନମିଳିବା କାରଣରୁ ତାଙ୍କୁ ସେ ସମ୍ପର୍କିତ ଅଭିଯୋଗରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ