ଚେନ୍ନାଇ: ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ଘଟଣା । ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି । ଶୁକ୍ରବାର ବିରୁଦ୍ଧୁନଗର ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣରୁ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।
ଅଚାନକୁଲାମ ଗାଁରେ ଥିବା ଏକ ବାଣ ୟୁନିଟ ଉତ୍ପାଦନ ପାଇଁ କିଛି ରାସାୟନିକ ପଦାର୍ଥ ମିଶ୍ରଣ ସମୟରେ ବିସ୍ଫୋରଣ ଘଟିଥିଲା । 25ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ଏବେ ବି 10ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ 8 ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ, ବିସ୍ଫୋରଣ ଯୋଗୁଁ ଫ୍ୟାକ୍ଟ୍ରିର ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଅନେକ ପୋଡି ହୋଇଯାଇଛନ୍ତି । ବିସ୍ଫୋରଣ ଖବର ଜଣାପଡିବା ପରେ, ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲେ ।
ଘଟଣାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଥିଲେ । ମୃତକଙ୍କ ପରିବାରକୁ ସାହାସ ଯୋଗାଇବା ସହ ଗୁରୁତରଙ୍କ ସୁସ୍ଥତା କାମନା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ତାମିଲନାଡୁ ବିରୁଦ୍ଧୁନଗର ସ୍ଥିତ ବାଣ କାରଖାନାରେ ଅଗ୍ନିକାଣ୍ଡ ଖବରକୁ ନେଇ ଦୁଃଖିତ । ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୋଦି । ତେବେ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସହଯୋଗରେ ଲାଗିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ମୃତକଙ୍କ ପରିଜନଙ୍କୁ ପିଏମ ପାଣ୍ଠିରୁ 2 ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ଓ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ଦିଆଯିବ ।