ମୁମ୍ବାଇ: ପୋଲିସକୁ ସଫଳତା । ପୋଲିସ ଗୁଳିରେ ଟଳିଲେ ୩ ନକ୍ସଲ । ଗତକାଲି(ରବିବାର) ମୁମ୍ବାଇର ଗଡଚିରୋଲି ଜିଲ୍ଲାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଡାଲମ କମାଣ୍ଡରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏନେଇ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସନ୍ଧ୍ୟା ୭ଟା ସମୟରେ କେଦମାରା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।
ଏନେଇ ଗଡଚିରୋଲି ଏସପି ନିଲୋତପାଲ କହିଛନ୍ତି, " କେଦମାରା ଜଙ୍ଗଲରେ ନକ୍ସଲମାନେ ଡେରା ପକାଇଥିବା ନେଇ ପୋଲିସକୁ ପ୍ରଥମେ ଖବର ମିଳିଥିଲା । ଗୁପ୍ତ ସୂଚନାକୁ ଆଧାର କରି ପୋଲିସ ସି୬୦ର ଦୁଇଟି ଟିମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ଏହାପରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ୩ ନକ୍ସଲ ଟଳିଥିଲେ । ଘଟଣାସ୍ଥଳରୁ ୩ ପୁରୁଷ ନକ୍ସଲଙ୍କ ମୃତଦେହ ଠାବ ହେବା ସହ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଏହା ପୋଲିସ ପାଇଁ ଏକ ବଡ ସଫଳତା ।" ମିଳିଥିବା ସୂଚନା ଅନୁସାରେ, ୩ ମୃତ ନକ୍ସଲ ହେଲେ ଡାଲମ କମାଣ୍ଡର ବୁତୁଲ ମାଦଭି, ପେରିମିଲି ଗ୍ରୁପର ସଦସ୍ୟ ବାସୁ ଏବଂ ଆହେରି ଡାଲମର ଶ୍ରୀକାନ୍ତି ।
ପ୍ରକାଶ ଥାଉକି, ଡାଲମ କମାଣ୍ଡର ବିତୁଲ ମାଧବି ଜଣେ କୁଖ୍ୟାତି ଅପରାଧି ଥିବା ନେଇ ଏସପି କହିଛନ୍ତି । ମାର୍ଚ୍ଚ ୯ ତାରିଖରେ ସେ ଜଣେ ଛାତ୍ରକୁ ହତ୍ୟା କରିଥିଲା । ସାଇନାଥ ନାରୋଟେ ହତ୍ୟା କରିବା ସହ ଆହୁରି ମଧ୍ୟ ଅନେକ ଘଟଣାରେ ସଂଶ୍ଲିଷ୍ଟ ଥିଲା । ଭୁସାମୁଣ୍ଡି ଏବଂ ଆଲେଙ୍ଗା ଅଞ୍ଚଳରେ ମଧ୍ୟ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଏନେକ କାଣ୍ଡ ଭିଆଇଥିଲା । ତେବେ ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଏସପି ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଗତ ଏପ୍ରିଲ ୩ ତାରିଖରେ ପାଲାମୁ-ଛତ୍ରା ସୀମାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ 5 ନକ୍ସଲ ନିହତ ହୋଇଥିଲେ । ମୃତ ନକ୍ସଲଙ୍କ ମଧ୍ୟରୁ 4 ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ