ନୂଆଦିଲ୍ଲୀ: ଚୀନ ସହ ଜାରି ସୀମା ବିବାଦ ମଧ୍ୟରେ ବୁଧବାର ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସୁରକ୍ଷାକୁ ଦୃଷ୍ଟିରେ ରଖି ଟେଲିକମ ଉପକରଣ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସରକାର ଏକ ତାଲିକା ପ୍ରସ୍ତୁତ କରିବେ । ଏଭଳି ସ୍ଥିତିରେ କେବଳ ଦେଶର ଟେଲିକମ କମ୍ପାନୀ ଉପକରଣ କଣିଯାଇପାରିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନର କିଛି ଟେଲିକମ ଉପକରଣ ବିକ୍ରି କରୁଥିବା କମ୍ପାନୀ ବିରୁଦ୍ଧରେ ପ୍ରତବିନ୍ଧକ ଦୃଷ୍ଟି କୋଣରୁ ଦେଖାଯାଇପାରେ ।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି, କ୍ୟାବିନେଟର ସୁରକ୍ଷା କମିଟି ଟେଲିକମ କ୍ଷେତ୍ରରେ ସୁରକ୍ଷା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । ହେଲେ ସେ ଏହି ନିଷ୍ପତ୍ତିକୁ ଚୀନ ସହ ଯୋଡି ଦେଖିବା ଭଳି କୌଣସି ଟିପ୍ପଣୀ କରିବାକୁ ମନାକରିଦେଇଥିଲେ ।
ଚଳିତବର୍ଷ ମେ ମାସରେ ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ଆରମ୍ଭ ହୋଇଥିଲା ବିବାଦ । ଏହା ପରେ ସରକାର ଚୀନ ପକ୍ଷରୁ ନିର୍ମିତ ଟେଲିକମ ଉପକରଣ ବ୍ୟବହାର ଉପରେ ସତର୍କ ହୋଇଛନ୍ତି । ସମ୍ବେଦନଶୀଳ ଡାଟା ଚୋରୀ ନେଇ ସରକାରଙ୍କ ମଧ୍ୟ ବୃଦ୍ଧି ପାଇଛି ସତର୍କତା ।
ଦେଶରେ ଟେଲିକମ ଟେକନୋଲୋଜିକୁ ପ୍ରତ୍ସାହନ ଦେବା ପାଇଁ ସରକାର ସର୍ବଦା ବିଦେଶୀ କମ୍ପାନୀଗୁଡିକୁ ସ୍ବାଗତ କରିଆସୁଛି । ଏଥିରେ ଚୀନର ହୁୱେଇ ଓ ZTE ଭଳି କମ୍ପାନୀ ମଧ୍ୟ ସାମିଲ ଥିଲା । ହେଲେ ଚୀନ ସହ ଜାରି ସୀମା ବିବାଦ ପରେ କେନ୍ଦ୍ର ସରକାର ଟେଲିକମ ଉପକରଣ କ୍ରୟ ଉପରେ ସତର୍କ ରହିବା ଆରମ୍ଭ କରିଦେଇଛି । ଏନେଇ 5G ଟେକ୍ନୋଲୋଜୀର ବିକାଶ ପାଇଁ ଚୀନର ପ୍ରମୁଖ କମ୍ପାନୀ ହୁୱେଇ ଓ ZTE କୁ ବାଦ ଦେଇଛି ଭାରତ ।