ନୂଆଦିଲ୍ଲୀ: କୋଭିଡ ନେଇ ସାରା ବିଶ୍ବରେ କଳ୍ପନାଜଳ୍ପନା ଜରି ରହିଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ସମସ୍ତଙ୍କୁ ଆଶ୍ବସ୍ତି କରିବା ପରି ଏକ ତଥ୍ୟ ପ୍ରକାଶ କରିଛନ୍ତି ଋଷରେ ଅବସ୍ଥାପିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ପ୍ରତିନିଧି । ଯଦି ଓମିକ୍ରନ ଭ୍ୟାରିଏଣ୍ଟ ଅଧିକ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ନକରେ ପ୍ରାୟତଃ କୋଭିଡ ସଂକ୍ରମଣ ଏହି ବର୍ଷ ସୁଦ୍ଧା ଶେଷ ହୋଇପାରେ ବୋଲି ମତ ରଖିଛନ୍ତି ହୁ ପ୍ରତିନିଧି ମେଲିଟା ଭୁଜୋନୋଭିକ (Melita Vujnovic) ।
ମେଲିଟା ଭୁଜୋନୋଭିକ ଆହୁରି ମଧ୍ୟ କହିଛନ୍ତି, ଏହାର ଅର୍ଥ ଏହା ନୁହେଁ ଯେ, କୋଭିଡ ଭୂତାଣୁ ସମ୍ପୂର୍ଣ୍ଣ ତାର ଅସ୍ତିତ୍ବ ହରାଇବ, ବରଂ ଏହା ତାର ପ୍ରଭାବ ଓ ପ୍ରକୋପ ହରାଇବ ବୋଲି ସେ ମତ ରଖିଛନ୍ତି । ନିଷ୍କ୍ରିୟ ହେବାର ଅର୍ଥ ହେଉଛି, ପ୍ରଭାବ ହ୍ରାସ ପାଇବା ଫଳରେ କୌଣସି ବଡ଼ ଧରଣର ସଂକ୍ରମଣ ବିସ୍ଫୋରଣ ହେବ ନାହିଁ । ତେଣୁ ବିଶ୍ବରେ ବିସ୍ଫୋରକ ସ୍ଥିତି ବା ସ୍ବାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିବ ନାହିଁ । ଏହାକୁ ସାଧାରଣ ପ୍ରସ୍ତୁତି ସହ ସାମ୍ନା କରିପାରିବ ମନୁଷ୍ୟ ସମାଜ ।
ଓମିକ୍ରନ୍ ସମଗ୍ର ଏବେ ବିଶ୍ବରେ ବ୍ୟାପିବାରେ ଲାଗିଥିବାବେଳେ କିଛି ଦେଶରେ ଶୀର୍ଷ ଛୁଇଁ ସାରିବା ପରେ ସଂକ୍ରମଣ ତଳମୁହାଁ ହେବା ଆରମ୍ଭ କଲାଣି । ଓମିକ୍ରନକୁ ପ୍ରାଥମିକ ଭାବେ ଅଧିକ କ୍ଷତିକାରକ ବୋଲି ଅନୁମାନ କରାଯାଉଥିବାବେଳେ ସ୍ଥିିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି । ଏହାର ପରବର୍ତ୍ତୀ ସମୟରେ ଯଦି କୌଣସି ନୂଆ ଭ୍ୟାରିଏଣ୍ଟ ପୁଣି ଥରେ ଉତ୍ପତ୍ତି ନହୁଏ, ତେବେ ବିଶ୍ବ ପାଇଁ ସଂକ୍ରମଣ ଆଶଙ୍କା ଟଳିବ ।
IANS