ହାଇଦ୍ରାବାଦ: ଗାଜିଆବାଦର ସାହିବାବାଦରେ ଜଣେ 5 ବର୍ଷୀୟ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ତିତ କରିଛନ୍ତି ପକ୍ସୋ କୋର୍ଟ । ଗତକାଲି ଏହି ମାମଲାର ଶୁଣାଣି ହୋଇଥିଲା । ଗତକାଲି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜିି ଦଣ୍ଡଘୋଷଣା ହୋଇଛି । ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ପକ୍ସୋ କୋର୍ଟ । ମାତ୍ର 58 ଦିନରେ ଏହି ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି ।
ସ୍ବତନ୍ତ୍ର ସରକାରୀ ଓକିଲଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ମାମଲାକୁ ପ୍ରାଥମିକତା ଭିତ୍ତିରେ ପକ୍ସୋ କୋର୍ଟରେ ବିଚାର କରାଯାଇଥିଲା । ମାତ୍ର 58 ଦିନରେ ଏହାର ଶୁଣାଣି ଶେଷ କରାଯାଇ ଗତକାଲି ଚୂଡାନ୍ତ ଶୁଣାଣି କରାଯାଇଥିଲା । ଆଜି ଏହାର ରାୟ ପ୍ରକାଶ ପାଇଛି । ମାମଲାରେ ମୋଟ 15 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସାକ୍ଷ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ସୋନୁ ନାମକ ଯୁବକକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ।
ଏହି ମାମଲା ଗାଜିଆବାଦର ସାହିବାବାଦ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା । ଡିସେମ୍ବର ପହିଲାରେ ଜଣେ 5ବର୍ଷୀୟା ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲା । ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁକନ୍ୟାକୁ ନପାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ନିଖୋଜର ପରଦିନ ଅର୍ଥାତ ଡିସେମ୍ବର 2 ତାରିଖରେ ନିକଟସ୍ଥ ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା । ପ୍ରାଥମିକ ଭାବେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ପରେ ଏହା ଏକ ଦୁଷ୍କର୍ମ ମାମଲା ବୋଲି ସ୍ପଷ୍ଟ ହୋଇଥିଲା । ଶିଶୁକନ୍ୟାର ଗୁପ୍ତାଙ୍ଗରେ ଗଭୀର କ୍ଷତ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହା ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ପୋଲିସ ସେଦିଗରୁ ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରାୟ 2 ଶହ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଶିଶୁକନ୍ୟାକୁ ଅଭିଯୁକ୍ତ ସୋନୁ ନାମକ ଜଣେ ସ୍ଥାନୀୟ ଯୁବକ ସହ ପୋଲିସ ଦେଖିବାକୁ ପାଇଥିଲା । ପରେ ସୋନୁକୁ ଅଟକ ରଖି ଜେରା କରାଯବା ପରେ ସେ ହିଁ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଥିବା ଜଣାପଡିଥିଲା । ଏହି ମାମଲାରେ ମାତ୍ର 58 ଦିନ ମଧ୍ୟରେ ଶୁଣାଣି ଶେଷ କରି ଦଣ୍ଡବିଧାନ କରିଛନ୍ତି ପକ୍ସୋ କୋର୍ଟ । ସମସ୍ତ ସାକ୍ଷ ପ୍ରମାଣ ଓ ପୋଲିସ ଦ୍ବାରା ଦାଖଲ ହୋଇଥିବା ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ