ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନ ବାହାରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସମସ୍ତ 8 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଆଜି (ମଙ୍ଗଳବାର) ଦିଲ୍ଲୀର ତିସ ହଜାରୀ କୋର୍ଟରେ ଏହି ଜାମିନ ଆବେଦନର ଶୁଣାଣି ହେବା ସହ ଜାମିନ ନାମଞ୍ଜୁର କରିଛନ୍ତି କୋର୍ଟ । ଏହି ଘଟଣାରେ ମୋଟ 8ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଦିଲ୍ଲୀ ପୋଲିସ ।
ଚନ୍ଦକାନ୍ତ ଭରଦ୍ୱାଜ, ନବୀନ କୁମାର, ନୀରଜ ଦୀକ୍ଷିତ, ସନ୍ନି ଜିତେନ୍ଦ୍ର ସିଂ ବିଷ୍ଟ, ପ୍ରଦୀପ କୁମାର ତିୱାରୀ, ରାଜୁ କୁମାର ସିଂ ଏବଂ ବାବୁଲ କୁମାରଙ୍କୁ ଗିରଫ କରି କୋର୍ଟ ଫରଓ୍ବାର୍ଡ କରିଥିଲା ଦିଲ୍ଲୀ ପୋଲିସ । ଆଜି (ମଙ୍ଗଳବାର) ଅତିରିକ୍ତ ସେଶନ ଜଜ୍ ନବୀନ କଶ୍ୟପ ଏହି ଅଭିଯୁକ୍ତଙ୍କ ଜାମିନ ମାମଲାର ଶୁଣାଣି କରିଥିଲେ ।
ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିବା ସହ କୋର୍ଟ ଦିଲ୍ଲୀ ହାଇକୋର୍ଟ ଦ୍ବାରା ପ୍ରଦତ୍ତ ଏକ ରାୟର ଉଦାହରଣ ମଧ୍ୟ ଦେଇଥିଲେ । ରାଜନୈତିକ ଦଳ ଏକତ୍ରିତ ହେବା ଏବଂ ବିରୋଧ କରିବାର ସାମ୍ବିଧାନିକ ଅଧିକାର ରହିଛି, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ହେବା ସହ ଅନିୟନ୍ତ୍ରିତ ନହେବା ଉଚିତ ବୋଲି କହିଥିଲେ ସେଶନ ଜଜ ।
କେଜ୍ରିଓ୍ବାଲଙ୍କ ବାସଭବନ ବାହାରେ ଆକ୍ରମଣ ପରେ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସିଧାସଳଖ ବିଜେପିର ନାମ ନେଇଥିଲେ । ନିର୍ବାଚନ ଫଳାଫଳ ଆସିବା ପରେ କେଜ୍ରିଓ୍ବାଲଙ୍କୁ ବିଜେପି ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛି ବୋଲି ସଙ୍ଗୀନ ଅଭିଯୋଗ ମଧ୍ୟ ଉଠାଇଥିଲେ ସିସୋଦିଆ । ପରେ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିବା ସହ 8 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେମାନଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ