ଚେନ୍ନାଇ: ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାଁନ୍ତି । ଆଉ ସେଥିପାଇଁ କିଏ କିଏ ଭିନ୍ନ ଭିନ୍ନ ତରିକାରେ ବିବାହ କରି ଏହାକୁ ସବୁଦିନ ପାଇଁ ସ୍ମରଣୀୟ ଓ ଅଭୁଲା କରିଦିଅନ୍ତି । ତେବେ ନିଜ ବିବାହକୁ ଖାସ କରିବା ପାଇଁ କେତେକ ଯୁବକ ଯୁବତୀ ଆକାଶରେ ତ କେତେବେଳେ ଗଭୀର ସମୁଦ୍ର ଭିତରେ ନିଆରା ତରିକାରେ ବିବାହ କରୁଛନ୍ତି ।
ତାମିଲନାଡୁ ଚେନ୍ନାଇର ଏକ ଦମ୍ପତି ମଧ୍ୟ ପାଣି ଭିତରେ ବିବାହ କରିଛନ୍ତି । ଚେନ୍ନାଇର ନୀଲଙ୍କରାଇ ଉପକୂଳରେ ଏହି ଇଞ୍ଜିନିୟରିଂ ଦମ୍ପତିଙ୍କ ବିବାହ ସମୁଦ୍ର ଭିତରେ ହୋଇଛି । ଗତ ଫେବୃଆରୀ 1 ତାରିଖରେ ଚେନ୍ନାଇ ନିକଟସ୍ଥ ନୀଲାଙ୍କରାଇ ଉପକୂଳ ସମୁଦ୍ର ଭିତରେ ଏହି ନିଆରା ବିବାହ ସମାରୋହ ସମ୍ପନ୍ନ ହୋଇଛି ।
ଏହି ଇଞ୍ଜିନିୟର ଦମ୍ପତି ଜଣକ ହେଲେ ଚିନ୍ନାଦୁରାଇ ଏବଂ ସ୍ବେତା । ସେମାନେ ନିଜ ବିବାହର ପୋଷାକ ପରିଧାନ କରି ବର କନ୍ୟା ବେଶରେ ସ୍କୁବା ଗିୟରରେ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ । ଆଉ ଫୁଲମାଳ ଅଦଳ ବଦଳ କରିବା ସହ ମଙ୍ଗଳସୂତ୍ର ପିନ୍ଧାଇଛନ୍ତି । ଏହି ବିବାହ ପ୍ରାୟ ସମୁଦ୍ରର 60 ଫୁଟ ତଳେ ହୋଇଥିବାବେଳେ କଦଳୀ ଗଛରେ ସଜ୍ଜିତ ମଣ୍ଡପର ଆୟୋଜନ କରାଯାଇଥିଲା। ଯାହା ସମ୍ପୁର୍ଣ୍ଣ ହିନ୍ଦୁ ରୀତିନୀତିରେ ପୂଜକଙ୍କ ମନ୍ତ୍ରପାଠରେ ସମାପନ ହୋଇଛି ।
ଏଭଳି ଏକ ନିଆରା ବିବାହକୁ ପଣ୍ଡୁଚେରୀର ମନ୍ଦିର ଆଡଭେଞ୍ଚର ଏକ ଟିମ ଦ୍ବାରା ଏହି ବିବାହ ଉତ୍ସବ ଆୟୋଜିତ କରାଯାଇଥିଲା । ତେବେ ଏହି ବିବାହ ପୂର୍ବରୁ ଏହି ଦମ୍ପତି ଜଣଙ୍କୁ ସ୍କୁବା ଡାଇଭିଂ ଏବଂ ଶ୍ବାସକ୍ରିୟା ନିୟନ୍ତ୍ରଣ ପାଇଁ ତିନି ଦିନିଆ ତାଲିମ ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ