ନୂଆଦିଲ୍ଲୀ: କୋହଳ ହୋଇଛି କଟକଣା । ଖୋଲିଛି ଦୋକାନ ବଜାର । ସ୍ବାଭାବିକ ହେଉଛି ସାଧାରଣ ଜୀବନଯାପନ । କୋରୋନାର ଦ୍ବିତୀୟ ଲହରୀର ଜୁଆରରେ ଧିରେଧିରେ ପଡୁଛି ଭଟ୍ଟା । ଆଉ ଏହାରି ମଧ୍ୟରେ ବଢୁଛି ତୃତୀୟ ଲହରୀର ଆଶଙ୍କା ।
ମହାମାରୀ କୋରୋନା ସଂକ୍ରମଣ ନେଇ ବିବୃତ୍ତି ପ୍ରଦାନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଜୁନ ପହିଲାସୁଦ୍ଧା ଦେଶରେ ଏଭଳି ୨୭୯ ଜିଲ୍ଲା ରହିଥିଲା, ଯେଉଁଠାରେ ଦୈନିକ ରେକର୍ଡ ହେଉଥିଲା ୧୦୦ରୁ ଅଧିକ ମାମଲା । ହେଲେ ଏବେ ଏହା ହ୍ରାସ ପାଇ ୫୭ରେ ସୀମିତ ରହିଛି ।
ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଏବେ ୫୭ ଜିଲ୍ଲାରେ ଦୈନିକ ୧୦୦ରୁ ଅଧିକ ମାମଲା ରିପୋର୍ଟ ହେଉଛି । ଅନ୍ୟପକ୍ଷେ ୨୨୨ ଜିଲ୍ଲାରେ ସଂକ୍ରମଣ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ କିଛି ସ୍ଥାନରେ କୋରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଛି । କେରଳର ୧୦ ଜିଲ୍ଲା ସମେତ ଦେଶର ୧୮ ଜିଲ୍ଲା ବଢାଇଛି ଚିନ୍ତା । ଏହି ୧୮ ଜିଲ୍ଲାରେ ୪୭.୫ ପ୍ରତିଶତ ମାମଲା ରହିଛି ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଭାରତରେ ଦ୍ୱିତୀୟ ଲହରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଏପର୍ଯ୍ୟନ୍ତ 47.85 କୋଟି ଟିକା ଦିଆଯାଇଛି । ସେଥିମଧ୍ୟରୁ 37.26 କୋଟି ପ୍ରଥମ ଡୋଜ ଏବଂ 10.59 କୋଟି ଉଭୟ ଗ୍ରହଣ କରିଛନ୍ତି।
ମେ ମାସରେ 19.6 ଲକ୍ଷ ଡୋଜ ଏବଂ ଜୁଲାଇରେ 43.41 ଲକ୍ଷ ଡୋଜ ଦିଆଯାଇଛି। ଅର୍ଥାତ୍ ମେ ମାସରେ ଟିକା ଦିଆଯାଉଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଜୁଲାଇରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି ବୋଲି ସ୍ବାସ୍ଥ୍ୟବିଭାଗ କହିଛି ।