ନୂଆଦିଲ୍ଲୀ: ହାଇଦ୍ରାବାଦରେ ଆଜିଠୁ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ(CWC) ବୈଠକ ଆରମ୍ଭ ହେବ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସର ଏହି ଦୁଇ ଦିନିଆ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଏଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉପରେ ବିସ୍ତୃତ ଚର୍ଚ୍ଚା କରାଯିବ । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତାମାନେ ସାମିଲ ହେବା ନେଇ ସୂଚନା ରହିଛି ।
କଂଗ୍ରେସର ନୂଆ କାର୍ଯ୍ୟକାରିଣୀ କମିଟି(CWC) ଗଠନ ପରେ ଏହା ପ୍ରଥମ ବୈଠକ । ଏନେଇ ଦିଲ୍ଲୀରେ କଂଗ୍ରେସ ମୁଖ୍ୟ ଖଡ୍ଗେ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ସିଡବ୍ଲୁସିର ପ୍ରଥମ ବୈଠକ ବସିବାକୁ ଯାଉଛି । ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯିବ । CWC ବୈଠକ ପାଇଁ ଖଡ୍ଗେ ଆଜି ସକାଳୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି । କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ଆମେ ବୈଠକ ପାଇଁ ୧୫୯ ଜଣଙ୍କୁ ନିମନ୍ତ୍ରିତ କରଥିବା ବେଳେ ଆସନ୍ତାକାଲି(ରବିବାର) ୧୪୭ ଜଣ ନେତା ଏଥିରେ ସାମିଲ ହେବେ । ରବିବାର ସନ୍ଧ୍ୟାରେ ତେଲେଙ୍ଗାନା ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ । ଏହି ଅବସରରେ କଂଗ୍ରେସ ହାଇଦ୍ରାବାଦ ନିକଟରେ ଏକ ବିଶାଳ ରାଲିର ଆୟୋଜିନ କରିବ ଏବଂ ଏଥିରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଦଳ ୬ଟି ଗ୍ୟାରେଣ୍ଟି ଘୋଷଣା କରିବ ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, କଂଗ୍ରେସର ନୂତନ କାର୍ଯ୍ୟକାରିଣୀ କମିଟି ତେଲଙ୍ଗାନାବାସୀଙ୍କ ପାଇଁ ସମ୍ମାନ ସହିତ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ । ଆମେ ତେଲେଙ୍ଗାନାବାସୀଙ୍କୁ ଗୋଟିଏ ପ୍ରତିଶ୍ରୁତି ଦେଇଥିଲୁ ଏବଂ ତାହାକୁ ପୂରଣ କରିଥିଲୁ । ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ସହ କଂଗ୍ରେସ ସବୁବେଳେ ଛିଡା ହୋଇଛି । ବର୍ତ୍ତମାନ ଏହି ରାଜ୍ୟକୁ ପ୍ରଗତି ଓ ସମୃଦ୍ଧିର ଏକ ନୂତନ ଯୁଗରେ ପହଞ୍ଚାଇବାର ସମୟ ଆସିଛି ।
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବୈଠକ ପାଇଁ ହାଇଦ୍ରାବାଦରେ ପହଞ୍ଚିବା ଅବସରରେ କହିଛନ୍ତି ଯେ, ନବଗଠିତ CWCର ଏହା ପ୍ରଥମ ବୈଠକ କଂଗ୍ରେସ ତେଲେଙ୍ଗାନାକୁ ରାଜ୍ୟର ମାନ୍ୟତା ଦେଇଛି ଏବଂ ଏଠାରେ CWC ବୈଠକରେ ଆୟୋଜିତ ହେବା ଦ୍ବାରା ଆମେ ପାଇଁ ତେଲେଙ୍ଗାନା ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ବୋଲି ଦର୍ଶାଉଛି ।