ପାନାଜୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ନାମରେ ବେଆଇନ ବାର ଚାଲୁଥିବା ନେଇ ତଥାକଥିତ ଅଭିଯୋଗ ପରେ ଗୋଆରେ ଉକ୍ତ ବାର ସାମ୍ନାରେ ପ୍ରତିବାଦ କରିଛି କଂଗ୍ରେସ । ଗୋଆ ମହିଳା କଂଗ୍ରେସର ଶତାଧିକ କର୍ମୀ ହାତରେ ସ୍ମୃତି ଇରାନୀଙ୍କ ଫଟୋ ଥିବା ପ୍ଲାକକାର୍ଡ ଧରି ବିଜେପି ବିରୋଧୀ ସ୍ଲୋଗାନ ଦେବା ସହ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ଗୋଆ କଂଗ୍ରେସ ମୁଖ୍ୟ ଅମିତ ପାଟକରଙ୍କ ଦ୍ବାରା ସ୍ମୃତି ଇରାନୀଙ୍କ ଝିଅଙ୍କ ନାମରେ ଉକ୍ତ ବାର ଚଳାଯାଉଥିବା ଅଭିଯୋଗ ହୋଇଥିଲା । ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିବା ସହ ଇରାନୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲେ । ତାଙ୍କ ଝିଅ ମାଧ୍ୟମରେ ତାଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ହୀନ ରାଜନୀତି କରିଥିବା ଇରାନୀ ପାଲଟା ଅଭିଯୋଗ କରିବା ସହ କୋର୍ଟରେ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ