ନୂଆଦିଲ୍ଲୀ: ସଂସଦର ପୁନର୍ବାର ଗରିମା ଭଙ୍ଗ କରିଛି କଂଗ୍ରେସ । ସଂସଦରେ ବଜେଟ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ଗୁରୁବାର ନିଜର ବିବୃତ୍ତି ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ବଜେଟ ଆଲୋଚନାରୁ ବାହାରି କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ । ଏହାରି ମଧ୍ୟରେ ଲୋକସଭା ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ ମୌନ ପ୍ରାର୍ଥନା କରିବାକୁ ରାହୁଲ ସମସ୍ତ କଂଗ୍ରେସ ସାଂସଦଙ୍କୁ କରିଥିଲେ ଅପିଲ ।
ବଜେଟ ଉପରେ ଆଲୋଚନା କରିବାକୁ ରାହୁଲଙ୍କୁ କୁହାଯାଇଥିବାବେଳେ ସେ କିନ୍ତୁ ଏହାକୁ ନଶୁଣି କୃଷି ଆଇନକୁ ନେଇ ସରକାରଙ୍କୁ କରିଥିଲେ ଟାର୍ଗେଟ । ସେ କହିଥିଲେ ଏହା ଚାଷୀଙ୍କର ନୁହେଁ, ଦେଶର ଆନ୍ଦୋଳନ । ଚାଷୀ କେବଳ ରାସ୍ତା ଦେଖାଉଛନ୍ତି । ଆଇନକୁ ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ବୋଲି କହିଥିଲେ ରାହୁଲ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ସରକାର ଚାଷୀଙ୍କ ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ଏନେଇ ମୁଁ ମଧ୍ୟ ବଜେଟ ଉପରେ ଟିପ୍ପଣୀ କରିବି ନାହିଁ । ଆନ୍ଦୋଳନ ସମୟରେ ଶହୀଦ ହୋଇଥିବା ଚାଷୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇନାହିଁ । ଏଥିପାଇଁ ଭାଷଣ ଶେଷରେ ଦୁଇ ମିନିଟ ମୌନ ରହିବାକୁ ଉପସ୍ଥିତ ସମସ୍ତ ସାଂସଦଙ୍କୁ ଅପିଲ କରିଥିଲେ ରାହୁଲ । ହେଲେ ଏଥିପାଇଁ ବାଚସ୍ପତିଙ୍କ ପାଖରୁ ତାଙ୍କୁ କୌଣସି ଅନୁମତି ମିଳିନଥିଲା ।
ପରେ ଲୋକସଭାରେ ରାହୁଲଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ ବାଚସ୍ପତି ଓମ ବିର୍ଲା । ବାଚସ୍ପତି କହିଥିଲେ ଲୋକସଭାର ଗୃହ କାର୍ଯ୍ୟ ଚଳାଇବାକୁ ତାଙ୍କୁ ଅଧିକାର ଦିଆଯାଇଛି । ହେଲେ ଯଦି ପ୍ରତିଦିନ କେହି ନା କେହି ଆସି ଯଦି ମୌନ ପ୍ରାର୍ଥନା କରିବାକୁ କହିବେ ତ କେମିତି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ବାଚସ୍ପତି । କେବଳ ଏତିକି ନୁହେଁ ଏହା ସଂସଦର ଗରିମା ଭଙ୍ଗ ବୋଲି ସେ କହିଛନ୍ତି । ଯଦି ଏପରି କୌଣସି ମୌନ ପ୍ରାର୍ଥନାର ପ୍ରସ୍ତାବ ରହିଛି ତେବେ ତାକୁ ଲିଖିତ ଆକାରରେ ଦେବାର ଆବଶ୍ୟକତା ରହିଥିବା ବାଚସ୍ପତି କହିଛନ୍ତି ।