ନୂଆଦିଲ୍ଲୀ: କୁସ୍ତି ମହାସଂଘ ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆଜି ଦିଲ୍ଲୀ ପୋଲିସ 1 ହଜାର ପୃଷ୍ଟାର ଚାର୍ଜସିଟ ଦାଖଲ କରିଛି । ହେଲେ ଏଥିରେ ଏକମାତ୍ର ନାବାଳିକା କୁସ୍ତିଯୋଦ୍ଧାଙ୍କ ବୟାନରେ ପରିବର୍ତ୍ତନ କାରଣରୁ POCSO ଆକ୍ଟ ପ୍ରତ୍ୟାହାର କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛି ପୋଲିସ । ଏହି ପ୍ରସଙ୍ଗରେ କଂଗ୍ରେସ ଆଜି କେନ୍ଦ୍ର ସରକାର ଉପରେ ବର୍ଷିଛି । ଆଜି ଦଳ ମୁଖ୍ୟାଳୟରେ ପ୍ରେସମିଟ କରି କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ସୁପ୍ରିୟା ଶ୍ରୀନାତେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଉପରେ ବର୍ଷିଛନ୍ତି ।
ସୁପ୍ରିୟା କହିଛନ୍ତି, "ଦିଲ୍ଲୀ ପୋଲିସ 1 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ହେଲେ 5 ଶହ ପୃଷ୍ଠାରେ ଏହା କିପରି ଏକ POCSO ମାମଲା ନୁହେଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି । ଯେତେବଳେ ପୁରା ଶାସନ କଳ ଏହି ମାମଲାରେ ବ୍ରିଜଭୂଷଣଙ୍କୁ ସମର୍ଥନ ଦେଉଛି, ସେତେବେଳେ ଜଣେ ନାବାଳିକା ପୀଡିତା କିପରି ଲଢିପାରିବ । ବିଜେପି ସରକାରର ‘ବେଟି ବଚାଓ, ବେଟି ପଢାଉ’ ନାରା ଫେଲ ମାରିଛି ।" ସେହିପରି ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ଯ ଟାର୍ଗେଟ କରିଛନ୍ତି । କହିଛନ୍ତି, "ଶାହଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ, ଅଭିଯୋଗ ପରେ ବ୍ରିଜଭୂଷଣଙ୍କୁ ଗିରଫ କିମ୍ବା ଜେରା କଲା ନାହିଁ । ଅଭିଯୋଗର ହେବାର ଦୀର୍ଘ 45 ଦିନ ମଧ୍ୟରେ ଅଭିଯୁକ୍ତକୁ ଥରେ ବି ଜେରା କରାଗଲା ନାହିଁ ।" ସେ କିପରି ପ୍ରମାଣ ନଷ୍ଟ କରିବା ସହ ତଦନ୍ତକୁ ପ୍ରଭାବିତ କରିବା ପାଇଁ ସୁଯୋଗ ପାଇବେ, ସେନେଇ ପୁରା ଶାସନ କଳ ଅଭିଯୁକ୍ତକୁ ସହଯୋଗ କରିଥିଲା ବୋଲି ସୁପ୍ରିୟା କହିଛନ୍ତି ।
ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଥମରୁ ନୀରବତା ଧାରଣା କରିଛନ୍ତି । ବିଜେପି ଦଳ ପୀଡ଼ିତ କୁସ୍ତିଯୋଦ୍ଧାଙ୍କୁ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛି । ତେବେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ କ୍ଲିନଚିଟ ଦେବାକୁ ପ୍ରୟାସ କରିଛି, ହେଲେ ଏହି ମାମଲାରେ କୋର୍ଟ ପୀଡିତାଙ୍କୁ ନ୍ୟାୟ ଦେବା ନେଇ ଆଶାବାଦୀ ଥିବା ସୁପ୍ରିୟା କହିଛନ୍ତି ।
ଆଜି ଆଇପିସି ଧାରା 354, 354-D, 506 (1) 345-A ରେ ବ୍ରିଜଭୂଷଣ ସିଂଙ୍କ ନାମରେ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ହେଲେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରଜିଭୂଷଣଙ୍କୁ ଦିଲ୍ଲୀ ପୋଲିସ କ୍ଲିନ୍ଚିଟ୍ ଦେଇଛି । ନାବାଳିକା ପୀଡ଼ିତା ମତ ପରିବର୍ତ୍ତନ କରିବା ପରେ ନୂଆ ବୟାନ ଆଧାରରେ ଏହା ଏକ ନାବାଳିକା ଯୌନ ଶୋଷଣ ମାମଲା ନୁହେଁ ଓ ବ୍ରିଜଭୂଷଣଙ୍କୁ ବିରୋଧରେ ଲଗାଯାଇଥିବା ପକ୍ସୋ ଆକ୍ଟ ପ୍ରତ୍ୟାହାର କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛି ଦିଲ୍ଲୀ ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ