ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସକୁ ଲାଗିଲା ଆଉ ବଡ ଝଟକା । କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ଅନିଲ ବାଲୁନୀଙ୍କ ଉପସ୍ଥିତିରେ ହେଲେ ସାମିଲ । ପଦ୍ମ ଧରିବା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କଲେ ।
ଜିତିନ ପ୍ରସାଦଙ୍କୁ ନିଜ ପକ୍ଷକୁ ଆଣି ବିଜେପି ୟୁପି ନିର୍ବାଚନ ପୂର୍ବରୁ ଏକ ବଡ ଗୋଟି ଚାଳନା କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜିତିନ ପ୍ରସାଦ ଖାଲି ୟୁପିରେ ନୁହେଁ ସମଗ୍ର ଉତ୍ତର ଭାରତରେ ପ୍ରଭାବ ରଖୁଛନ୍ତି । ଜିତିନ ପ୍ରସାଦଙ୍କ 3 ପୀଢି କଂଗ୍ରେସରୁ ରାଜନୀତି କରିଆସିଛନ୍ତି । ଜିତିନ ପ୍ରସାଦ କଂଗ୍ରେସ ଦଳରୁ 2 ଥର ସାଂସଦ ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ ।
କିଏ ଜିତିନ ପ୍ରସାଦ?
ଜିତିନ ପ୍ରସାଦ ହେଉଛନ୍ତି କଂଗ୍ରେସର ଦିଗଜ୍ଜ ନେତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ନରସିଂମା ରାଓଙ୍କ ପରାମର୍ଶଦାତା ଥିବା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ । ଜିତେନ୍ଦ୍ର ପ୍ରସାଦ 2000 ମସିହାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଦଳୀୟ ସଭାପତି ନିର୍ବାଚନ ଲଢିଥିଲେ ହେଲେ ପରାସ୍ତ ହୋଇଥିଲେ । ପରେ 2001 ରେ ଜିତେନ୍ଦ୍ର ପ୍ରସାଦଙ୍କ ନିଧନ ହୋଇଥିଲା ।
ପିତାଙ୍କ ଦେହାନ୍ତ ପରେ ଜିତିନ ପ୍ରସାଦ ରାଜନୀତିକୁ ଆସିବା ସହ ରାଜନୀତି କମାଣ ସମ୍ଭାଳିଥିଲେ । 2004 ରେ ସାହଜହାଁପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୟୁପିଏ-1 ସରକାରରେ ମନ୍ତ୍ରୀ ହେବା ସହ କଂଗ୍ରେସର ଜଣେ ଚର୍ଚ୍ଚିତ ଯୁବ ଚେହାର ଥିଲେ । 2009 ରେ ଧୋରହରା ଆସନରୁ ଲଢି ବିଜୟୀ ହେବା ସହ ସଡକ ପରିବହନ ଓ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ । କିନ୍ତୁ 2014 ନିର୍ବାଚନରେ ଜିତିନ ପ୍ରସାଦ ପରାସ୍ତ ହୋଇଥିଲେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ଥିଲେ ଜିତିନ ପ୍ରସାଦ । ତେବେ ୟୁପିରେ କଂଗ୍ରେସର ରାଜନୀତି ଦେଖି ଅସନ୍ତୁଷ୍ଟ ଥିଲେ ସେ ।
ବିଜେପିରେ ମିଶିବା ପରେ....
ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିବା ପରେ ଜିତିନ ପ୍ରସାଦ କହିଛନ୍ତି ମୁଁ ଅନେକ ବିଚାର ବିମର୍ଶ କରି ବିଜେପିକୁ ଆସିଛି । ବର୍ତ୍ତମାନ ବିଜେପି ହିଁ ଏକମାତ୍ର ଗଣତାନ୍ତ୍ରିକ ରାଜନୈତିକ ଦଳ । ପ୍ରଧାନମନ୍ତ୍ରୀଙ୍କ କଠିନ ପରିଶ୍ରମ ପାଇଁ ଦେଶର ଛବି ବଦଳୁଛି । ଏବେ କଥା ନୁହେଁ, ମୋ କାମ ହିଁ କହିବ ଆଗାମୀ ଭବିଷ୍ୟତ । ବିଜେପି ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞ । କଂଗ୍ରେସର ପୂର୍ବତନ ସହଯୋଗୀଙ୍କୁ ଧନ୍ୟବାଦ । ତେବେ ଆଗାମୀ ଦିନରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରିବେ ବୋଲି କହିଛନ୍ତି ଜିତିନ ।
ଜିତିନଙ୍କୁ ବିଜେପି କାହିଁକି ନେଲା?
ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ଅର୍ଥାତ ଆଉ 8 ମାସ ପରେ ବିଧାନସଭା ନିର୍ବାଚନ ହେବ । 403 ବିଶିଷ୍ଟ ୟୁପି ବିଧାନସଭାରେ ନିର୍ବାଚନ ଜିତିବା ଏତେ ସହଜ ନୁହେଁ । ଏଠି ଏମିତି ଅନେକ ପ୍ରସଙ୍ଗ ରହିଛି ଯାହା ସମସ୍ତ ଦଳ ପାଇଁ ବଡ ସମସ୍ୟା ହୋଇଥାଏ । ତେବେ ସବୁ ଆହ୍ବାନକୁ ପ୍ରତିହତ କରି 2017 ରେ ବିଜେପି ପ୍ରଚଣ୍ଡ ବହୁମତ ପାଇ କ୍ଷମତାକୁ ଫେରିଥିଲା । ତେବେ ବିଜେପିର ଆଭ୍ୟନ୍ତରୀଣ ଆକଳନ ଅନୁସାରେ କିଛି ବ୍ରାହ୍ମଣ ସମାଜ ଯୋଗୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଯାହା ନିର୍ବାଚନରେ ପ୍ରଭାବ ପକାଇବାର ଆଶଙ୍କା ରହିଛି । ତାପୂର୍ବରୁ ବିଜେପି ସମସ୍ତ ସମସ୍ୟା କୁ ଦୂର କରିବା ପାଇଁ ଶକ୍ତି ଲଗାଇ ଦେଇଛି । ଜିତିନଙ୍କୁ ଦଳରେ ସାମିଲ କରିବା ବିଜେପିର ବ୍ରାହ୍ମଣ ସମାଜ ସନ୍ତୁଷ୍ଟର ଏକ ରଣନୀତି ।
ଶାହା ନଡ୍ଡାଙ୍କ ସ୍ବାଗତ...
ବିଜେପିରେ ଜିତିନ ସାମିଲ ହେବାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ବାଗତ କରିଛନ୍ତି । ଶାହା କହିଛନ୍ତି ମତେ ପୂର୍ଣ୍ଣ ବିଶ୍ବାସ ଅଛି ଜିତିନ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ଦଳକୁ ଶକ୍ତିଶାଳୀ କରିବ । ୟୁପି ଜନତାଙ୍କ ସେବା ସଂକଳ୍ପକୁ ଆହୁରି ସୁଦୃଢ କରିବ । ସେହିପରି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଜିତିନଙ୍କୁ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ବକୁ ସ୍ବୀକାର କରି ବିଜେପି ସଦସ୍ୟତା ଗ୍ରହଣ କରିଥିବା ମୋର ସାନ ଭାଇ ଜିତିନଙ୍କୁ ମୁଁ ସ୍ବାଗତ କରୁଛି କହିଛନ୍ତି ସିନ୍ଧିଆ ।
3 ବନ୍ଧୁଙ୍କ ଯୋଡୁଛି ବନ୍ଧନ...!
ଦିନେ ସମୟ ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ ଓ ସଚ୍ଚିନ ପାଇଲଟ କଂଗ୍ରେସର 3 ଚର୍ଚ୍ଚିତ ଯୁବ ଚେହେରା ଥିଲେ । 3 ଜଣ ମଧ୍ୟ ପରସ୍ପରଙ୍କ ଅତି ନିବିଡ । ଏହାମାନଙ୍କୁ କଂଗ୍ରେସର ଭବିଷ୍ୟତ ମଧ୍ୟ କେହି କେହି କହୁଥିଲେ । କିନ୍ତୁ ସମୟର ସ୍ରୋତରେ ଏବେ ସେହି 3 ଜଣ ବନ୍ଧୁଙ୍କ ମଧ୍ୟରୁ 2 ଜଣ ବିଜେପିରେ ଥିବା ବେଳେ ସଚ୍ଚିନ ପାଇଲଟ ମଧ୍ୟ କଂଗ୍ରେସ ନେତୃତ୍ବ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ